Unknown

 

 

 

 

 

 

 

 

 

 

 

ଧୂସର ଭୂମିକା

ରାଧାମୋହନ ଗଡ଼ନାୟକ

 

କିଞ୍ଚିତ୍‍

 

‘ଧୂସର ଭୂମିକା’ ୧୯୫୭ରେ ପ୍ରକାଶିତ ହେବାର ସମସ୍ତ ବ୍ୟବସ୍ଥା ହୋଇଥିଲା, ମାତ୍ର କେତେକ ଦୂରପନେୟ ପରିସ୍ଥିତି ହେତୁ ତା ଏତେ ଦିନେ ରୁପ ପରିଗ୍ରହ କଲା ।

 

‘ଧୂସର ଭୂମିକା’ର କେତେକ କବିତା ଭିନ୍ନ ଭିନ୍ନ ସମୟରେ ସହକାର, ଝଙ୍କାର ଓ ଚିତ୍ରଲେଖା ପ୍ରଭୃତି ମାସିକ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ଆଉ କେତେକ ଗଚ୍ଛିତ ଥିଲା ପାଣ୍ଡୁଲିପି ଅବସ୍ଥାରେ । ସେଇ ବିକ୍ଷିପ୍ତ କବିତାଗୁଡ଼ିକ ଏଇଥିରେ ଏକତ୍ର କରା ହୋଇଚି ।

 

ସାଂପ୍ରତିକ ପୃଥିବୀ ଦୁଃଖ ବ୍ୟଥା, ବାଦ ବିସମ୍ୱାଦ, ଭେଦାଭେଦ ଓ ନାନା ସମସ୍ୟାରେ ଭରା । ଜୀବନ ସହଜରେ ଶୁଷ୍କ ଓ ବିବର୍ଣ୍ଣ ହୋଇ ଯାଉଚି । ତଥାପି ଆଶାବାଦୀ ମଣିଷ ଦେଖୁଚି ତାର ସ୍ୱପ୍ନ-ଶ୍ୟାମଳ ସମାରୋହର ସ୍ୱପ୍ନ । ‘ଧୂସର ଭୂମିକା’ରେ ୟାର ଛାୟାଲୋକ ଯତ୍‍କିଞ୍ଚିତ୍‍ ଅଛି ବୋଧହୁଏ ।

 

ରା. ଗଡ଼ନାୟକ

୨୮-୯-୧୯୬୦

Image

 

ସୂଚୀପତ୍ର

 

୧.

ବିବି ଖାନୁନ୍‍ ଓ ଶିଳ୍ପୀ

୨.

ଅୟି ପୃଥ୍ୱୀ

୩.

ମୁଁ ଦେଖୁଚି ଆଷାଢ଼ର ସ୍ୱପ୍ନ

୪.

କିଂଶୁକ

୫.

ସେଦିନ ଓ ଆଜି

୬.

ଜନ ଓ ଜାନୁଆର

୭.

ଚିତ୍ର ତାରକା

୮.

ସୁପାୟାଲାତ

୯.

ରବୀନ୍ଦ୍ର

୧୦.

୧୧.

ଅରବିନ୍ଦ

୧୨.

ଆଣ୍ଡୃଜ

୧୩.

କୁଳବୃଦ୍ଧ ମୁଁ ହିମାଚଳ

୧୪.

କିଏ ତାକୁ ମାରିପାରେ ?

୧୫.

ମରି ସୁଦ୍ଧା ସେ ମରି ନ ଥିଲା ରେ

୧୬.

ଜାନୁଆରୀ ଛବିଶ

୧୭.

କବି ଓ ଶିଳ୍ପୀ

୧୮.

ପିଗ୍‌ମେଲିଆନ୍‍ ଓ ବର୍ମା

୧୯.

ସ୍ମୁତିର ପାଣ୍ଡୁଲିପି

୨୦.

ଜାଗ ଆଜି ବର୍ମା

୨୧.

ଚାଲିଗଲ କିଆଁ ପଦ୍ମଚରଣ ?

୨୨.

ହେ ମୋର ଜାତୀୟ ବୀର

୨୩.

ସତ୍ୟ ଓ ଶକ୍ତି

୨୪.

କଳଙ୍କିତ ମୁହିଁ କଳାକାର !!!

୨୫.

ବନ୍ଦନା ଲାଗି ଜଳୁଚି ଦୀପାଳି—ଜଳୁଚି କାହିଁ ?

୨୬.

ସନ୍ନ୍ୟାସୀ ହେ ଦ୍ୱିତୀୟ ଗୋପ

୨୭.

ଆଚାର୍ଯ୍ୟ ହରିହର

୨୮.

ହେ ପାଗଲ କବିବନ୍ଧୁ

୨୯.

ବିଦାୟ-ବିପ୍ଳବ

Image

 

 

 

 

 

 

 

 

 

 

 

 

 

 

ଧୂସର ଭୂମିକା

 

ବିବି ଖାନୁନ୍‍ ଓ ଶିଳ୍ପୀ

 

 

‘‘ବଉଦଛୁଆ ଏ ମୋ ସଉଧ କେବେ ଶେଷ ହୋଇବ ?

ପୂରିବ ମୋ ବାସନା ଶିଳ୍ପୀ ତୁମ ନାଆଁ ରହିବ ।

ଖବର ଆସିଲାଣି, ଆସିବେ ବାଦଶାହା,

ଜଲ୍‍ଦି ଶେଷ କର ବକେୟା ଅଛି ଯାହା ।’’

ନରମ କରି ସୁର ମରମ କହେ ବିବି ଖାନୁନ୍‍;

ଶିଳ୍ପୀ ନିବେଦଇ, ‘‘ଖିଆଲ ଏତ, ନୁହେ କାନୁନ୍‍ ।’’

 

‘‘ଖିଆଲ କିବା ଇଏ କାନୁନ୍‍, ମତେ ଆଉ କହ ନା,

ପୂର୍ଣ୍ଣ ହେବ କେବେ ମନର ଏଇ ମୋର ବାସନା ?

ବିଦେଶୁ ଫେରି ଆସି ବିଜୟୀ ପତି ମୋର,

ଦେଖିବେ ଅତୁଳ ଏ ପ୍ରୀତିର ଉପଚାର;

ମୋହରି ସାଥେ ପୁଣି ଇଆରି ଚୂଳେ ବସି ପୁଲକେ

ଦୃଷ୍ଟି ଖେଳାଇବେ ବିଜିତ ବନ-ଗିରି-ମୁଲକେ ।

ପୂର୍ଣ୍ଣ କର ଏବେ ଶିଳ୍ପୀ ମୋର ମନ-କାମନା ।’’

ଶିଳ୍ପୀ କହେ, ‘‘ତହିଁ କ୍ଷୁର୍ଣ୍ଣ ହେବ ମୋର ବାସନା ।’’

‘‘କ୍ଷୁର୍ଣ୍ଣ ହେବ ସତେ ? ସଉଧ ଶେଷ ହେଲେ

ତୁମର ବାସନା ତ ପୂର୍ଣ୍ଣ ହେବ ହେଲେ,

ତୁମର ନାଆଁ ସାରା ଧରଣୀ ଯୁଗେ ଯୁଗେ ଗାଇବ,

ତୁମର ମନ-ଲାଖି ବଧାଇ ପୁଣି ତୁମେ ପାଇବ ।’’

‘‘ମୋହର ମନ-ଲାଖି ବଧାଇ ପାଇବି ମୁଁ କିମିତି ?

ସଉଧ ଶେଷ ହେଲେ ତୁମେ ତ ଆସିବନି ଇମିତି ।

ତିଆରି ଚାଲିଅଛି, ଆସୁଚ ଅନିବାର

ତୁମର ଦରଶନ ପାଉଚି ବାରବାର ।

କିଆଁ ମୁଁ ଜାଣୁ ଜାଣୁ ଏ ତୋଳା-ମଉଛବ ସାରିବି,

କିଆଁ ମୁଁ ଆପଣାକୁ ଆପଣ । ହାତେ ଆଜି ମାରିବି ?’’

 

‘‘ଶିଳ୍ପୀ କି କହୁଚ କାହାର ଆଗେ ଆଜି କି କଥା ?

ଯାହାରେ କହୁଅଛ ଜାଣିଚ ତାହାର କି କ୍ଷମତା ?

ସମର କନ୍ଦର ବେଗମ ଦେଲେ ଚାହିଁ

ଦଗ୍‍ଧ ହୋଇଯିବ ଏଲାଗେ ଚାରିବାହି,

ଆଖିର ପଲକରେ ତୁମେ ତ ମିଶିଯିବ ମାଟିରେ,

କହ ତ କେଉଁପରି ଆସୁଚି ଏ ଭାବନା ଛାତିରେ ?’’

‘‘ଜାଣୁଚି କିଏ ତୁମେ, କି ଦଶା ହେବ ମୋର ଜାଣୁଚି,

ତୁମେ କି ଜାଣୁ ନାହଁ ମୋ ବୁକେ ଶିଳ୍ପ କେ ଆଣୁଚି ?

ଏ ମୋର ମନ ମୁନ, ଏ ହାତ ହତିଆର

କିଏ ସେ କରୁଅଛି ଶିଳ୍ପ-ମତୁଆଳ ?

ମିଥ୍ୟା କହୁଚି କି ପଚାର ଏବେ ନିଜ ମନକୁ

ନିଇତି ଆସି ତୁମେ କି ଦେଉଅଛ ଅଭାଜନକୁ ?’’

 

ବେଗମ-ନୟନରେ ସହସା ଅରୁଣିମା ଫୁଟିଲା,

କମ୍ର ଲଲାଟରେ ଭ୍ରୂକୁଟି-ରେଖା ଖେଳି ଉଠିଲା,

ଓଷ୍ଠ ଅଧରରୁ ଦୁଇଟି ନିମେଷରେ

ଝରିଲା ସୀଧୁ-ଭରା ବଚନ ବିଶେଷରେ,

‘‘ଶିଳ୍ପୀ ସତ କଥା, ମିଥ୍ୟା ତୁମେ କହୁ ନାହଁ ତ !

ଆହୁରି କହି ତାହା କର ନା ମୋତେ ଆଉ ଆହତ ।

 

ଭାବନା ମୋର ସଦା ଦିବସ ରାତି ଆଠ ପହର,

କହିଲ କେବେ ତୁମେ ସାରିବ ଏ ବିଳାସ-ମହଲ ?

ପାଇଲେ କିବା କଥା, ପାଇଲେ କିବା ଧନ ?

ତୃପ୍ତ ହେବ ଭଲା ଖିଆଲୀ ତୁମ ମନ ।

ସଉଧ-ତୋଳା ଶେଷ କରିବ କି ବଧାଇ ପାଇଲେ ?

ତାଆର ଅୟୋଜନ କରିବି, ତୁମେ ଏବେ କହିଲେ ।’’

‘‘ଦେଇ କି ପାରିବ ଗୋ ମୋ ମନତଳେ ଯାହା ଜାଗୁଚି ?

ଗୁଲାବ୍‍ ଗାଲେ ତବ ଗୁଲାଲ୍‍ ଚୁମାଟିଏ ମାଗୁଚି ।’’

ଜଲାଲ ମୁଖେ ଚାହିଁ ଖାନୁନ୍‍ ସତ୍ୱର

ଧୂସର କଣ୍ଠରେ କହଇ ଉତ୍ତର;

‘‘ଶିଳ୍ପୀ ଦେଖୁଅଛି ଭୟଙ୍କର ତୁମ ବାସନା

କାହିଁକି ଜୀବନରେ ଚାହୁଚ ମରଣର ଯାତନା ?’’

‘‘କାହିଁକି ଅନଳରେ ଶଲଭ ଜାଣୁ ଜାଣୁ ଝାସଇ ?’’

ଆଖିରେ ସ୍ମିତ ରେଖା, ଜଲାଲ୍‍ ଦମ୍ଭରେ ଭାଷଇ,

‘‘ମରଣ ମରିଯିବ ହୃଦୟ ମୁଲକରେ

ଗୋଟିଏ ପଲକରେ, ଟିକିଏ ଝଲକରେ ।’’

 

ଖାନୁନ୍‍ କହେ, ‘‘ଅତି ଭୟଙ୍କର ତୁମ ବାସନା,

ତଥାପି ମଂଜୁର କରୁଚି ତୁମର ସେ କାମନା ।’’

 

 

ଫେରିଲେ ତୈମୁର—ସମରକନ୍ଦର ସୁଲତାନ୍‍,

ବାଜିଲା ପଥେ ପଥେ ବିଜୟ ବାହୁଡ଼ାର ମୁଲତାନ୍‍ ।

କେତେ ଯେ ଉପହାର, କେତେ ଯେ ଉପଚାର,

ଚରଣ ପ୍ରାନ୍ତରେ ଲୋଟିଲା ଅସୁମାର,

ମାତର ନୟନରେ ଦିଶିଲା ନୂତନ ସେ ସଉଧ

ମିନାର ଚୁଡ଼ା ଯାର ଚୁମଇ ଆକାଶର ବଉଦ ।

 

ବିଜୟୀ ବାଦଶାହା ନୂତନ ମହଲର ଉରସେ

ଖାନୁନ୍‍ ବିବି ତୁଲେ ଯାମିନୀ ବାଞ୍ଛିଲେ ସରସେ ।

 

‘‘ପ୍ରାଣର ପିଆରୀ ମୋ ଏକାହିଁ ତୁମେ ଜାଣ

ରଚିଚ ମୋହ ଲାଗି ଉଚିତ ସନ୍‍ମାନ,

ବେଗମ-ମହଲରେ କେବଳ ଥିଲ ତୁମେ ପ୍ରେୟସୀ,

ପ୍ରୀତିର ଝଲକରେ ମୋହର ପ୍ରାଣେ ହେଲ ଶ୍ରେୟସୀ ।

ଅତୁଳ କଳ୍ପନା ରଖି ମୁଁ ହୃଦୟର ଗୋପନେ,

ଯାହାର ମୂଳଦୁଆ ତିଆରି ଥିଲି ଶତ ସପନେ ।

ସହସା ତେବେ ଘୋର ସମର ଆହ୍ୱାନେ

ବାହାର ହେଲି ମୂହିଁ ବିଦୂର ଅଭିଯାନେ,

ପ୍ରିୟ ସେ ମହଲ ମୋ ସମ୍ପାଦିଲ ତୁମେ ରୁଚିର,

ଏ ମୋର ବୁକୁତଳେ ଆସନ କରି ନେଲ ସୁଚିର ।’’

 

‘‘ମୋଅର କି ଶକତି ? ମହାନ ତୁମର ସେ ଦାନ ତ,

ମୋଅର ବୋଲି କହି କରୁଚ ସରମରେ ଆନତ,

ସାଗର-ପଦେ ଢାଳେ ନଦୀ ଯେ ବାରିଧାର

ତୁମେ କି ଜାଣ ନାହିଁ କାହାର ସେ କାହାର ?

ସାଗର ଜଳ ହୁଏ ଜଳଦ ଅମ୍ୱର ଭାଗରେ,

ଆସାର ବରଷିଲେ ତଟିନୀ ଦିଏ ନେଇ ସାଗରେ ।’’

 

‘‘ପ୍ରାଣର ପିଆରୀ ମୋ’’ ଆବେଗେ ବାଦଶାହା ଅଧୀର,

ଗୁଲାବ୍‍ ଗାଲ ପରେ ଲେଖିଲେ ଚୁମାଟିଏ ମଦିର ।

ହଠାତ୍‍ ଏକି ହେଲା ଚଟୁଳ ଅନୁରାଗ ?

‘‘ଗୁଲାବ୍‍ ଗାଲେ ତବ ଇଏ କି କଳାଦାଗ ?

ନିଖୁଣ ଗାଲେ ତବ ନ ଥିଲା ନ ଥିଲା ତ ଇମିତି,

ଦନ୍ତ ଆଘାତର କୃଷ୍ଣ ଚାପ ହେଲା କିମିତି ?’’

ବିଷମ ପ୍ରଶ୍ନର ଆପଦେ ନାରୀ-ବୁକୁ ଡରିଲା,

ଝଡ଼ରେ କାତର କି ପତର ଥର ଥର ଥରିଲା,

ଯାହାର ପ୍ରତାପରେ ପାତାଳଗତ ଭୂଇଁ,

ତ୍ରସ୍ତ ନଦୀ ବନ ଯାହାର ପାଦ ଛୁଇଁ ।

ଯାହାର ସାମ୍ନାରେ ରାଇଜ, ରାଜା, ସେନା କାତର,

ତାହାର ପ୍ରତାପରେ ଅବଳା-ଛାତି କେତେ ମାତର !

 

ବିଥରି ବିଥରି ସେ ଭଗନ ବଚନରେ କହଇ,

‘‘ତୁମରି ତୋଷ ପାଇଁ ମରଣ-ଦହନ ମୁଁ ବହଇ ।’’

‘‘କି କରିଅଛୁ କହ, ଜଲ୍‍ଦି ଯାଆ କହି’’

ଅନଳ-ବାଦଶାହା ଅଚିରେ ପଚାରଇ ।

‘‘ମୃତ୍ୟୁ ଜୀବନରେ ଆସଇ ଖାଇଲେ ଯେ ଜହର,

ତା’ ମୁଁ ଖାଇଅଛି ତୋଳାଇ ନୂତନ ଏ ମହଲ ।’’

 

‘‘ଚାତୁରୀ ରଖି ଦେଇ ଜଲ୍‍ଦି କହ ଏକାବେଳକେ,

ଇଏ କି କଳାଦାଗ ଫିଟାଇ କହ ସିଧାସଳଖେ ।

ଶହଶ’ ନାରୀ ଘେନି କୁସୁମ-ଶୟନରେ

କରିଚି ଲୀଳା ଖେଳା ଜୀବନ-ଅୟନରେ,

ବାରେକ ଚାହିଁ ଦେଲେ ଯେ କେଉଁ କାମିନୀର ମୁଖରେ

ସହଜେ ଜାଣଇ ମୁଁ ଅଛଇ କିବା ତାର ବୁକରେ ।’’

ଖାନୁନ୍‍ ଥରି ଥରି ଖୋଲଇ ନିଭୃତ ମରମ,

‘‘ତୁମରି ଲାଗି ପ୍ରଭୁ, ଆନରେ ଦେଇଚି ମୋ ସରମ,

ସମୟ ହେଲା ଆସି ଦେଖିଲି ବିନ୍ଧାଣୀ,

ସଉଧ-ତୋଳା ଶେଷ କରୁନି ଜାଣି ଜାଣି !

‘ପାଇଲେ କି ବଧାଇ ସାରିବ ?’ ପଚାରିଲି ଅଧୀରା,

ଗୁଲାବ୍‍ ଗାଲେ ସିଏ ଗୁଲାଲ୍‍ ଚୁମାଟିଏ ଚାହିଲା ।’’

 

‘‘ଗୁଲାଲ୍‍ ଚୁମା ପାଇଁ ଗୁଲାବ୍‍ ଗାଲ ତୋର ପାତିଲୁ

ସମରକନ୍ଦର ବେଗମ କାହିଁ ରେ ତୁ ମାତିଲୁ ?’’

ପୀରତି-ଚୁମ୍ୱନ-ଆତୁର ହାତ ଖରେ

ପଡ଼ିଲା ବେଗମର ପେଲବ କଣ୍ଠରେ,

‘‘ନା ନା ଥାଉ, ଏଡ଼େ ସହଜ ନୁହେଁ ତୋର ମରଣ,

ତୁଉ ଯେ ତିଳତିଳ ମରଣ କରିଅଛୁ ବରଣ ।’’

 

 

ନୂତନ ମହଲର ପ୍ରାନ୍ତେ ଭରା ଆଜି ଜନତା

ଦେଖିବେ ଅପୂରୁବ,ଜାଣିବେ ଅପୂରୁବ ବାରତା ।

ମନରେ ଉଦବେଗ—ମୁଖରେ ନାହିଁ କଥା

ରହିଚି ଅପଲକ ଲକ୍ଷ ଆଖିପତା,

କଠୋର ବାଦଶାହା ବଜ୍ର-ଭାଷେ କହେ, ‘‘ଜଲାଲ,

ମୃତ୍ୟୁ ପାଇଁ ଏବେ ତିଆର ହୋଇଲୁଣି ତିଆର ?’’

 

ଦିନାନ୍ତର ମୁଖେ ହିରଣ ହାସ ଯଥା ଶୋହଇ,

ହସିତ ଓଷ୍ଠରେ ଶିଳ୍ପୀ ମନକଥା କହଇ,

‘‘ସଉଧ ସହିତରେ କବର ମୋର ରଚି

ବହୁତ ଆଗରୁ ମୁଁ ତିଆର ହୋଇଅଛି ।

ଗଢ଼ିଚି ଜହାଁପନା ଚମତ୍କାର ଏଇ ମହଲ,

ଜୀବନ-ବାରୁଣୀରେ ମିନତି ଏବେ ଏଇ ମୋହର ।

 

ଏଇ ଯେ କିଶୋରଟି ଆଣିଚି ମୁହିଁ ମୋର ସାଥିରେ

ଏଇ ଯେ ତମ୍ୱୁରା ଗୋଟିଏ ଅଛି ତାର ହାତରେ;

କରୁଚି ନିବେଦନ, ଆଦେଶ ହେଉ ବାରେ

ଧରୁ ସେ ତମ୍ୱୁରା ମୋର ଏ ଶେଷ କାଳେ,

ଖେଳାଇ ଦେଉ ଏଥି ନିମେଷକରେ ସୁର-ସୁରଭି,

ମରଣକାଳେ ମୁହିଁ ଶୁଣିବି ଜୀବନର ପୂରବୀ ।’’

ଶିଳ୍ପୀ-ଆବେଦନ ସକଳେ ଭାବୁଥିଲେ ମନରେ,

ମାଗୁଣି ସହଜ କି ଆହୂତି-ଢ଼ଲା ଏଇ ଅନଳେ,

ମାତର ବାଦଶାହା ବୋଇଲେ ସାଥେ ସାଥେ

‘‘ମରଣ-ଚକ୍ର ତ ଘୂରୁଚି ତୋର ମାଥେ,

ତଥାପି ତୋହର କି ଚେତନା ଏବଯାଏ ଜାଗିନି,

ଆଦେଶ ଦେଲି ଏବେ ଶୁଣ ତୋ ତମ୍ୱୁରା-ରାଗିଣୀ ।’’

 

କିଶୋର ବାଳକଟି ତମ୍ୱୁରାରେ ସୁର ତୋଳିଲା,

ଆକୁଳ ସଭାତଳେ ଆତୁର ମାଦକତା ଢାଳିଲା,

ପଦ୍ମତୋଳା ଗୀତେ ସର୍ପ ବିଷଧର

ଶୁଣଇ ଯେଉଁପରି ଚକିତ ବିହ୍ୱଳ,

ଶୁଣଇ ସେଇପରି ସ୍ତବ୍‍ଧ ବାଦଶାହା ଶୁଣଇ,

ଶ୍ରୁତିର କଥା ନୁହେ, ମର୍ମେ ମର୍ମେ ସେ ଜାଣଇ ।

 

ମୂଗ୍‍ଧ ଲଗନରେ ଉଠିଲା ବିନ୍ଧାଣୀ ସଉଧେ

ବାଜିଲା ତମ୍ୱୁରା, ଚାଲିଲା ଊର୍ଦ୍ଧ୍ୱେ ସେ ଉର୍ଦ୍ଧ୍ୱେ ।

ସଲୀଳ ଅଙ୍ଗୂଳି ଥରିଲା ବାଳକର

ଥରିଲା ତମ୍ୱୁରା, ଥମିଲା ସୂସ୍ୱର,

ଚାହିଁଲେ ବାଦଶାହା, ଚାହିଁଲେ ସଭାଜନ ବହୁତ;

ଚତୁର ବିନ୍ଧାଣୀ ଫେରିଲା ନାହିଁ କାହିଁ ଆଉ ତ ।

ଶେଷରେ ବାଦଶାହା ଜଳଇ ଯଥା କାଳ ଅନଳ,

‘‘ଖାନୁନ୍‍ ଆସ ଏବେ, ଦଣ୍ଡ ନିଅ ଏବେ ତୁମର ।’’

ଖାନୁନ୍‍ ଶୁଣଇ କି ନିଠୁର ନିର୍ଦେଶ ?

ହୀରକ ମୁଦି ଶୋଷି ହୋଇଚି ନିଃଶେଷ ।

ବିଜୟୀ ବାଦଶାହା ବିଜିତ ଆଜି ନିଜ ରାଇଜେ

ଭେଳିକି ସୃଜି ଦେଇ ଉଭୟେ ଖସିଗଲେ କାହିଁ ଯେ ।

 

‘‘ଦଣ୍ଡି ପାରିଲିନି, ଦଣ୍ଡଧର ମୁହିଁ କଠୋର,

ଶକତ-ଯୁପେ ଆଜି ପୀରତି ଶୁଣାଇଲୁ କିଶୋର ।

ବାଳକ ଡରୁଚୁ କି ? ଡରୁଚୁ କାହିଁପାଇଁ ?

ଅଭୟ ଦେଉଅଛି ଆଉ ତୁ ଡର୍‍ ନାହିଁ ।

ସହଜେ ଖସିଗଲେ ଯିଏରେ ଆଜି ଅଭିଯୁକ୍ତ,

ହରଷେ ଫେରିଯାଆ, ବାଳକ ତୁଉ ଏବେ ମୁକ୍ତ ।’’

Image

 

ଅୟି ପୃଥ୍ୱୀ

 

ଅୟି ପୃଥ୍ୱୀ, ଆଉ ଥରେ କାମଧେନୁ ହୁଅ ଆଜି ତୁମେ,

ବୁଭୁକ୍ଷାର ଦହନେ କି ହରାଇବୁ ପ୍ରାଣ

ଆମେ ସବୁ ମନୁର ସନ୍ତାନ,

ତୁମର ଏ ସ୍ନେହାଞ୍ଚିତ ଭୂମେ ?

ଅୟି ପୃଥ୍ୱୀ,

ଆଉ ଥରେ କାମଧେନୁ ହୁଅ ଆଜି ତୁମେ ।

 

ଶସ୍ୟହୀନ ହେଲା କ୍ଷେତ୍ର, ପର୍ଣ୍ଣହୀନ ହେଲା ମହୀରୁହ,

ଅନ୍ନହୀନ ହେଲା ଯେବେ ଗୃହ

ଆକୁଳ ପ୍ରକୃତି-ବର୍ଗ ଦେଖି ତହିଁ ଦୂରନ୍ତ ଦୁର୍ଭିକ୍ଷ

ଆର୍ତ୍ତ କଳ କୋଳାହଳେ ଭରିଦେଲେ

ପଥ ଘାଟ ପାଣ୍ଡୁ ଅନ୍ତରୀକ୍ଷ ।

ଅୟି ପୃଥ୍ୱୀ,

ତୁମେ ତେବେ ଠିଆ ହେଲ ଧରି ଏକ କାମଧେନୁ ମୂର୍ତ୍ତି ।

 

ଶୁଣାଇଲ ସ୍ନେହସିକ୍ତ ଆଶ୍ୱାସ-ବଚନ,

‘‘ହେ ରାଜନ,

କର ମୋତେ କର ହେ ଦୋହନ ।’’

ମନୁ ହେଲେ ବତ୍ସତରୀ, ଦୋଗ୍‍ଧା ହେଲେ ପୃଥୁ,

ସ୍ରବିଲା ଦୁଗ୍‍ଧର ଧାର

ଶସ୍ୟର ସମ୍ଭାର

କମ୍ର ଶିରୀ ଘେନି ପୁଣି ଉଦ୍ଭାସିଲା ବିବର୍ଣ୍ଣ ସଂସାର,

ଗୁଞ୍ଜରି ଉଠିଲା ପୁଣି ଐଶ୍ୱର୍ଯ୍ୟର, ପ୍ରାଚୁର୍ଯ୍ୟର ଋତୁ

ଘରେ ଘରେ ଦ୍ୱାରେ ଦ୍ୱାରେ ଉଠିଲା ଉଛୁଳି

ଘୃତ ଅନ୍ନ ଦଧି ଦୁଗ୍‍ଧ ପାନ

ସନ୍ତୋଷର, ତୃପ୍ତିର ମାଧୁରୀ ।

 

ସେ କେଉଁ ଯୁଗର କଥା

ଏ ଯୁଗ ତ ସଂପୂର୍ଣ୍ଣ ପୃଥକ,

ଏକକର ରାଜ୍ୟ ନାହିଁ

ପଥେ ପଥେ ବାଜୁଅଛି ଯୁଗଜୟ ଶଙ୍ଖ ।

ପ୍ରକୃତିର ଛାତି ପରେ ବିଜ୍ଞାନର ଉଗ୍ର ଅଭିମାନ

ବିଜୟର ଧ୍ୱଜା ତୋଳି ମେଲିଅଛି

ମତ୍ତ ଅଭିଯାନ ।

ମନୁର ସନ୍ତାନ ଏଇ ଆଜିର ଦାୟାଦ,

ଯୁକ୍ତ କରେ ମାଗୁନାହିଁ ସ୍ୱର୍ଗ-ଆଶୀର୍ବାଦ;

ମାଗୁନାହିଁ ଚନ୍ଦ୍ର-ଜ୍ୟୋସ୍ନା

ମାଗୁନାହିଁ ଇନ୍ଦ୍ର-ମେଘ-ବାରି

ମୁକ୍ତ ସମୀରଣ ପଦେ

ଆବେଦନ ଦେଉନାହିଁ ଢାଳି ।

ଦିଗ୍‍ବିଜୟ କରୁଚି ସେ ଦୂର ଚକ୍ରବାଳେ

ସ୍ପୁଟ୍‍ନିକ୍‍ ପଠାଉଚି ଉର୍ଦ୍ଧ୍ୱେ ଉର୍ଦ୍ଧ୍ୱେ

ଦୂର ଅନ୍ତରାଳେ

ନୂଆ ଉପନିବେଶର ଆଶେ

ଅନନ୍ତ ଉଲ୍ଲାସେ ।

ବିଦ୍ୟୁତ ଆଲୋକ-ଶିଖା ଜାଳୁଚି ବହୁତ,

ତଥାପି କାହିଁକି ପୁଣି

ଅନ୍ଧକାର ଏତେ ପୁଞ୍ଜୀଭୂତ ?

ଦିଗେ ଦିଗେ ପଠାଉଚି ଶାନ୍ତିର କପୋତ,

ଉବ୍ଦେଳି ଉଠୁଚି କିଆଁ

ପଥେ ପଥେ

ଅଶାନ୍ତିର ଖର ଅଗ୍ନିସ୍ରୋତ ।

କାହିଁକି ବଢ଼ୁଚି ତେବେ

ଅଭାବର ଦୈନ୍ୟର ବିପାକ ?

ଘରେ ଘରେ ପ୍ରାଣେ ପ୍ରାଣେ

ଉଠୁଅଛି ହା’ ଅନ୍ନର ଡାକ ?

ସୁବିପୁଳ ବିଜୟର ଦୃପ୍ତ ଉନ୍ମାଦନା

ମର୍ମେ ମର୍ମେ ତୋଳୁଅଛି

ନିରୁକ୍ତ ବେଦନା ।

ଅୟି ପୃଥ୍ୱୀ, ଆଉ ଥରେ କାମଧେନୁ ହୁଅ ଆଜି ତୁମେ,

ବୁଭୁକ୍ଷାର ଦହନେ କି ହରାଇବୁ ପ୍ରାଣ,

ଆମେ ସବୁ ମନୁର ସନ୍ତାନ

ତୁମର ଏ ସ୍ନେହାଞ୍ଚିତ ଭୂମେ ?

ଅୟି ପୃଥ୍ୱୀ,

ଆଉ ଥରେ କାମଧେନୁ ହୁଅ ଆଜି ତୁମେ ।

Image

 

ମୁଁ ଦେଖୁଚି ଆଷାଢ଼ର ସ୍ୱପ୍ନ

 

ପୌଷର ଆଜି ଏଇ ପତ୍ରଝରା ଦିନାନ୍ତରେ

ମୁଁ ଦେଖୁଚି ଆଷାଢ଼ର ସ୍ୱପ୍ନ,

ମୁଁ ଚାହୁଚି ମୌସୁମୀର ମେଘ ମଲ୍ଲାର

ଧୂସର ଏଇ ଧରିତ୍ରୀରେ

ମୁଁ ଚାହୁଚି ଶ୍ୟାମଳ ସମାରୋହ ।

 

କିଏ ତୁମେ ଅନୁକଂପିତ,

ସ୍ମିତ ଓଷ୍ଠରେ ମୋତେ କହୁଚ,

‘‘ପୁଷ୍ପ ନିଅ,

ପଲ୍ଲବ ନିଅ,

ସୌନ୍ଦର୍ଯ୍ୟ ନିଅ,

ସୌରଭ ନିଅ,

ମଲା ଜହ୍ନର ଉପତ୍ୟକାରେ ସୁବର୍ଣ୍ଣ ସମାରୋହ ।’’

 

ମୁଁ ତ ଆଛି ମାଗୁନି ବସନ୍ତର ଏଇ ଉତ୍ସବ

ଏଇ ସୌନ୍ଦର୍ଯ୍ୟ

ଏଇ ସୌରଭ ।

ବୈଶାଖର ଖର ନିଃଶ୍ୱାସରେ

ଯାହା କାଲି ପୋଡ଼ିଯିବ, ଜଳିଯିବ,

ପିନାକୀର ନୟନାଗ୍ନିରେ ରତିକାନ୍ତ କନ୍ଦର୍ପ ପରି

ଭସ୍ମସାତ୍‍ ହୋଇଯିବ ।

 

ମୁଁ ଚାହୁଚି ପ୍ରାଣର ବନ୍ୟା

ତରୁଲତାର ଅଙ୍ଗେ ଅଙ୍ଗେ

ପତ୍ର ଫୁଲ ଫଳର ସମ୍ଭାର,

ରୁକ୍ଷ ଭୂଇଁରେ ଘାସର ଉଲ୍ଲାସ ।

କେଦାର ବୁକୁରେ ଶସ୍ୟର ହଲ୍ଲୋଳ ।

ମୁଁ ଦେଖିଚି ଆଷାଢ଼ର ସ୍ୱପ୍ନ ।

Image

 

କିଂଶୁକ

 

କିଂଶୁକ ମୁଁ ସୈନିକ ମୁଁ

ଜୀବନ-ସଂଗ୍ରାମେ,

ଜଗତେ ମୋର ଚାରଣ ମୁହିଁ

ଜୈତ୍ରଗୀତି ଗାଉଚି ମୋର ନାମେ ।

 

ବସନ୍ତର ମଳୟ ଆଜି

ମଦିର ଅଭିସାରେ

କୁସୁମଶର—ବହ୍ନି ଜାଳେ

ଆକୁଳ ଫୁତ୍କାରେ ।

ଚଂପା, ଚୋରୀ, ମାଧବୀ କେତେ ଫୁଟିଚି

କେତକୀ, ହେନା, ଗୋଲାପ ଝଳି ଉଠୁଚି,

ରତିର ଅନୁରୂପ

ଗନ୍ଧଭରେ ବେପଥୁଭୋଳେ

ମୂହୁର୍ମ ହୁ ପଡ଼ୁଚି ତହିଁ ଧୂପ ।

ଗନ୍ଧର ସେ ଆହୂତି ନୁହେ

ଏକକ ମୁହିଁ ଆଜି,

ତରୁଣତମ ଅରୁଣ ରାଗେ

ଉଠୁଚି ବିଭ୍ରାଜି ।

ସ୍ନାୟରୁ ମୋର ରକ୍ତ ଢେଉ

ନିତ୍ୟ ଦେଇ ଦେଇ

ଗନ୍ଧାତୀତ ପୁଷ୍ପବୀଥି

ଫୁଟାଉ ଅଛି ଏଇ ।

ଦୀପ୍ତ ମୁହିଁ ସତେଜ ମୁହିଁ

ଜୀବନ-ସଂଗ୍ରାମେ

ଜଗତେ ମୋର ଚାରଣ ମୁହିଁ,

ଜୈତ୍ରଗୀତି ଗାଉଚି ମୋର ନାମେ ।

Image

 

ସେଦିନ ଓ ଆଜି

 

ସେଦିନ ତୁମର ମଦିର ମଳୟ-ନିଃଶ୍ୱାସ

ଫୁଲବନେ ମୋର

ଭରି ଦେଇଥିଲା

ସୁରଭି,

ଆଜି ତ ତୁମର ଆକୁଳ ବୁକୁର ଉଚ୍ଛ୍ୱାସ

ଝାଉବନେ ମୋର-

ତୋଳେ ମର୍ମର

ପୂରବୀ ।

 

ତୁମେ ବିରହମାନା ଗୋ ବିଧୂରେ

ଆଜି ଝରୁଅଛ ଦୂରେ-ବିଦୂରେ;

 

ସଂସାର ସୁଖ-ଶିରୀ-ଶୃଙ୍ଗାର

ଜାଳୁଅଛି ଦାବ ଦହନେ,

ବୁଝି ପାରୁଚି ମୁଁ ତୁମରି ନିଠୁର

ମୋର ଏ ମନର ଗହନେ ।

ସ୍ମୃତିର ସପନେ ଦିଗ ଉତ୍‍ପ୍ଳାବି

ଆସୁଚି ଜୋଛନା-ରାତ୍ରୀ

ବୁଝି ପାରୁ ନାହଁ ଆଜି ମୁଁ ଯେ ସଖୀ ।

ସମରପଥର ଯାତ୍ରୀ ।

 

ମୋର ଆକାଶେ ଉଠିଚି ଲଂଜା,

ମୋର ପଥେ ପଥେ ଝଡ ଝଂଜା ।

ବଇଁଶୀଟି ମୋର ଛାଡ଼ି ଆସିଅଛି

କୁଞ୍ଜବନର କକ୍ଷେ,

ମଥୁରାର ଆଜି ବନ୍ଧୁର ପଥ

କ୍ରାନ୍ତି ତୋଳିଚି ବକ୍ଷେ ।

 

ମୁଁ ତ ବୁଝୁଚି ତୁମର ମରମ

ତୁମେ ସଂସାର ଦୂର କରିଚ,

ଏଡ଼ି ଦେଇ ସବୁ ଲାଜ ସରମ

ଶତ ଶତ ଅପବାଦ ବରିଚ ।

 

କେତେ ଟାହୁଲି ଟାପରା ସହୁଚ

ତୁମେ ସରଳା ନିରପରାଧା ଗୋ,

ଖାଲି ହୃଦୟର ଲାଗି ମରୁଚ

ତୁମେ ମରିବାର ନୁହ ରାଧା ଗୋ ।

କିଆଁ ସଜଳ ନୟନେ ଝୁରୁଚ

ତୁମେ ବଂଚିତା, ନୁହ ବଂଚିତା,

ତୁମେ ପ୍ରେମର ରାଇଜେ ଅମରୀ,

ମୋର ସ୍ମୃତିର ଅତଳେ ସଂଚିତା ।

 

ମୁଁ ଯେ ସମରପଥର ଯାତ୍ରୀ

ମୋର କରେ ଏଇ ଖର ଶାୟକ

ମୁଁ କି ହୋଇଥିବି ରାଧାମୋହନ,

ଆଉ ହେବି ନାହିଁ ଗଡ଼ନାୟକ ?

Image

 

ଜନ ଓ ଜାନୁଆର

 

ଆଜିର ମଣିଷ ତୋଳଇ ଉଚ୍ଚସ୍ୱର,

‘‘ମୁଁ ତ ସେ ଦିନର ବନର ମଣିଷ ନୁହେଁ,

ମୁଁ ନୁହଇ ଋଷି, ମୁଁ ନୁହଇ ଜଟାଧର,

ଦିନ କାଟୁନାହିଁ ଧୂସର ପର୍ଣ୍ଣ-ଗୃହେ ।

ବାଘ ଭାଲୁ ସାଥେ ବାସ କରି ମନ-ସୁଖେ

କଟାଉ ନାହିଁ ତ ମୋର ଏ ଜୀବନ-କାଳ,

ହରିଣ-ମୁଗ୍‍ଧ ଜଡ଼ ଭରତ ମୁଁ ନୁହେ,

ସଂସାର ନୁହେ ସଂସାର ଆଢ଼ୁଆଳ ।

 

ମୁଁ ଆଜି ନବ୍ୟ, ମୁଁ ଆଜି ସଭ୍ୟ ଜନ,

ପଦା କରୁଅଛି କାଟି ବନ ପରବତ,

ଗଢ଼ୁଚି ମୋ ପୁର, ଗଢ଼ୁଚି ସୌଧମାଳ,

ମେଲୁ ଅଛି ମୋର ବିଜୟ-ଯାତ୍ରା-ପଥ ।

 

ପ୍ରଦୀପ ଜାଳୁଚି ମେଘରୁ ବିଜୁଳି ଆଣି,

ଆକାଶ-କୁସୁମ ମାଟିରେ କରୁଚି ଗଦା,

ବାଷ୍ପକ ରଥ, ପୁଷ୍ପକ ରଥ ଛାଡ଼ି

ଥରାଉଚି ଭୂଇଁ, ନିଥର ଇଥର ସଦା ।

 

ଶିକାରୀ ମୁଁ ବୁଲି ପାରିଧି କରୁଚି ନିତି,

ମାରୁଚି ସିଂହ, ବାଘ, ଭାଲୁ ବିଷଧର,

କେତେ ଧରି ଆଣି ଭରୁଚି ଚିଡ଼ିଆଖାନା,

ସର୍‍କସେ ରଖି କରୁଚି ବଚସ୍କର ।

ହିଂସ୍ର ପଶୁର ଭାଙ୍ଗୁଚି ବିଷରଦ

ଜାନୁଆର ଜାତି ବଂଶ କରୁଚି ଶେଷ,

ବନ ଜଙ୍ଗଲେ ପୁଷ୍ପର ସ୍ମିତ ଭରି

ଧରାକୁ କରୁଚି ମୋହର କାମ୍ୟ ଦେଶ ।’’

 

ଦିଗ୍‍ବଳୟର ଅନ୍ତରାଳରୁ ତେବେ

ଅପସୃୟମାନ ଜାନୁଆର କହେ କଥା,

‘‘ଆଜିର ଜନ ରେ ବିଜୟମନ୍ୟ ଆରେ,

ବୁଝି ପାରୁନାହୁଁ ନିଜର ନିର୍ବୋଧତା ?

ଜଙ୍ଗଲ କାଟି ଭାଙ୍ଗୁଚୁ ମୋର ବାସ

ସତରେ ଆମକୁ କରି ପାରିଚୁ କି ଦୂର ?

ଆଖି ଖୋଲି ଟିକେ ଆପଣାକୁ ଚାହିଁ ଦେଖ୍‍,

ଅନ୍ତରେ ତୋର କିଏ ସେ ଗଢ଼ିଚି ପୁର ?’’

Image

 

ଚିତ୍ର ତାରକା

 

ସ୍ୱର୍ଗର କେଉଁ ଲୀଳା-ଅଙ୍ଗନ-ଉରସେ

ଫୁଲ-ଚନ୍ଦନ-ଧୂପ-ସୌରଭ-ରଭସେ

ସୁନ୍ଦରୀ ତୁମେ ଅପସରା ଗୋ,

ନନ୍ଦନବନ-ତଳେ ପାରିଜାତ ଫୁଟାଇ

ସ୍ୱର୍ଣ୍ଣଦୀ-ଜଳେ ଲୋଳ ହିଲ୍ଲୋଳ ଉଠାଇ

ମୁଗ୍‍ଧ ଅମର-ବୁକେ ଉଦ୍‍ବେଗ ଛୁଟାଇ

ନାଚୁଥିଲ ନର୍ତ୍ତନପରା ଗୋ !

 

କେଉଁ ଅପରାଧ କରି

ଅଭିସଂପାତ ବରି

ନେଇ ତୁମ ଜୀବନେ

ଓହ୍ଲାଇ ଆସିଅଛ

ମାଟିର ଏ ଭୁବନେ ?

 

ରୂପର ସାଗର ଯେବେ ଊର୍ମିଳ କରି ଗୋ

ମନ୍ଦେ

ଚିତ୍ରତାରକା ତୁମେ ନାଚି ନାଚି ଉଠ ଗୋ

ଛନ୍ଦେ !

ତିନିମାର କଂପନେ

ସ୍ତନିମାର ଗୁରୁଭାର ଦୋଳାଅ,

ଶ୍ରୋଣି ଜଘନର ଲୀଳା

ଘନ ଘନ ଖେଳାଅ,

ଓଷ୍ଠ ଅଧର ହାସେ ଢାଳିଦିଅ ମଦ୍ୟ

ଚାହୁଁ ଚାହୁଁ ଫୁଲଶର ଛାଡ଼ିଦିଅ ସଦ୍ୟ ।

 

ସଂଭ୍ରମେ ମୁକୁଳାଇ ମୁଦ୍ରିତ ମରମ

ବିଞ୍ଛିଦିଅ ଗୋ ର-ସସଂଚିତ ସରମ,

ପଲକେ ପଲକେ ପୁଣି କରିଦିଅ ବିକାଶ

ମନ ଗହନର ଭରା ଶୃଙ୍ଗାର ବିଳାସ,

କୁଣ୍ଠିତ ବୁକୁମାୟା

ଗୁଣ୍ଠିତ ତନୁଛାୟା

ଲୁଣ୍ଠିତ କରି ଦେଇ ଜନତାର ଚକ୍ଷେ

ମେଲିଦିଅ ତାରକା ଗୋ ଧରଣୀର ବକ୍ଷେ ।

 

ତନୁ ମନ ଧରି ଏଯେ

ବିକ୍ଷୋଭ ଜଗାଅ,

ଉଦ୍‍ବେଳ ନର୍ତ୍ତନ

ପାରାବାର ମନ୍ଥନ

ଲଗାଅ ।

ଅମୃତ ବିଷ ଦୁଇ ସୃଜୁଅଛ ନିତ୍ୟ,

ମୋହୁଅଛ କେତେ ମନ

ଜାଳୁଅଛ ପୁଣି କେତେ ଚିତ୍ତ

ବିଦ୍ୟୁତ ପରି ଆଜି ଅନ୍ତରେ ମୋହରି

ବହ୍ନିଳ ଉଦ୍‌ବେଗ ଉଠୁଅଛି ଶିହରି ।

ତୁମର ସେ ଅଭିଶାପ

ଜନତାର ସନ୍ତାପ

କେବେ ହେବ ଶେଷ ଗୋ ?

କେବେ ତୁମେ ଫେରିଯିବ

ଆପଣାର ଦେଶ ଗୋ ?

Image

 

ସୁପାୟାଲାତ

 

‘‘କହିପାରିବ କି ପାଗୋଡ଼ା କାହିଁକି

ନାରୀ-ସ୍ତନ ଭଳି ହୋଇଚି ଗଢ଼ା ?

ଚୁଚୁକ ପରାଏ ବର୍ଣ୍ଣ-କାନ୍ତ

ଚୂଳ ହୋଇଅଛି ସ୍ୱର୍ଣ୍ଣଜଡ଼ା ।’’

ପରାଣ-ପ୍ରିୟରେ ପଚାରଇ ଏକ ଯାତ୍ରୀବଧୁ,

‘‘ବୁଝି ପାରୁନି ମୁଁ ଶିଳ୍ପର ଭାବ

କଳ୍ପନାର ଏ ମର୍ମମଧୁ ।’’

‘‘ଧର୍ମର ଇଏ ପୟୋଧର ସଖି’’

ଯାତ୍ରୀ କହଇ

‘‘ଧରଣୀର ବୁକେ ପ୍ରକାଶମାନ;

ଅଖିଳ ଜନତା ଶିଶୁ ସମ ଏଥୁଁ

ନିତ୍ୟ କରଇ ସ୍ତନ୍ୟ ପାନ ।’’

ଯାତ୍ରୀର ବଧୁ କହି ଉଠେ ‘‘ଏଇ

କଳ୍ପନା କେଡ଼େ ଚମତ୍କାର,

କେଉଁ ରାଜାର ଏ କୀର୍ତ୍ତି ଅମର

କେଉଁ ଭାସ୍କର କାରୁଶିଳ୍ପୀର ଶିଳ୍ପସାର ?’’

‘‘ଥିବାଉ ରାଜାର କୀର୍ତ୍ତିକଳା ଏ

ବହୁ ଭାସ୍କର କାରୁଶିଳ୍ପୀର ମିଳିତ ଦାନ,

ମାତର ସଖି ଗୋ କଳ୍ପିଚି ଏଇ ଛବିର ରୂପ

ତୁମରି ଜାତିର ଗୋଟିଏ ପ୍ରାଣ ।’’

‘‘କିଏ ସେ, କିଏ ସେ ?’’ ପଚାରଇ ନାରୀ

ହରଷାଇ ତାର କଣ୍ଠ-ବାଣୀ,

ଉତ୍ତରେ ପ୍ରିୟ କହଇ ସୋହାଗେ

‘‘ସୁପାୟାଲାତ ସେ ଆମରି ବର୍ମା ଦେଶର ରାଣୀ ।’’

‘‘ଆମରି ଜାତିର କଳ୍ପନା ଇଏ ?

ଭଲ କରି ମତେ ଫିଟାଇ କୁହ,’’

ନାରୀର ଦୀପ୍ତ ନୟନପ୍ରାନ୍ତେ ଉଠିଲା ଝଳି

ସ୍ମିତ-ଢଳଢଳ ଦିଓଟି ଲୁହ ।

‘‘ବର୍ମା ଦେଶର ଶେଷ ନରପତି

ଥିବାଉ ଏକଦା

ରାଜଦରବାରେ ଫେଡ଼ିଲେ ମନ,

‘‘ପ୍ରିୟ ସଭାସଦ ତୁମେ ଏକା ମୋର

ବର୍ମା ଦେଶର ଶ୍ରେଷ୍ଠଜନ ।

ବୁଦ୍ଧ ପ୍ରଭୁର ବନ୍ଦନେ ମୁହିଁ

ଗଢ଼ାଉଚି ଏବେ ପାଗୋଡ଼ା ଏକ,

କେଉଁ ପରି ହେବ ଅତୁଳ ବିଶାଳ ଅଭ୍ର ଭେଦୀ

କେଉଁପରି ହେବ ତା ରୂପରେଖ ।

କେଉଁ ପରି ତାହା ଗଢ଼ାଇଲେ ହେବ

ନିଖିଳ ଜନର ଚିତ୍ତପ୍ରିୟ

ହେ ମୋର ଦେଶର ବିଜ୍ଞ ସୁଧୀର

ମୋତେ ତୁମେ ଆଜି ବିଚାର ଦିଅ ।’’

ତାଇକ୍‍ ତିନି ଘି ନିବେଦଇ, ‘‘ଛାମୁ

ବିଷ୍ଣୁ କି ଶିବ ଦେଉଳ ସମ

ବିଶାଳ ପାଗୋଡ଼ା ଗଡ଼ାଇବେ ଯଦି

ଚିତ୍ତେ ଭାବୁଚି ହେବ ମଞ୍ଜୁଳ ରୁଚିରତମ ।’’

ବୋ ସ୍ମଏ କହଇ,

‘‘ପାଗୋଡ଼ା ହୋଇବ ଦୀର୍ଘ ଆକାର, ତୁଙ୍ଗଶିଖ

ଚୁମ୍ୱିବ ନୀଳ ଅମ୍ୱର ତଳ,

ଚକିତ କରିବ ଚତୁର୍ଦିକ ।’’

ଯବନିକା ତୋଳି ଦେଖାଦେଲେ ଆସି ସୁପାୟାଲାତ

ଅକସ୍ମାତ

ମୁଗ୍‍ଧ ଚକିତ କରି ସଭାଜନେ

କହିଲେ, ‘‘କଅଣ କହୁଚ କିଏ ?

ମୁଁ ଦେଉଚି ନୂଆ ବିଚାରଟିଏ ।

ଏଇ କଳ୍ପନା କଳ୍ପିଚି ମୁହିଁ ଚିତ୍ତେ ମମ

ଶେଷ୍ଠ ତମ ।

ବିଶାଳ ପାଗୋଡା

ନାରୀ-ସ୍ତନ ଭଳି ହୋଇବ ଗଢ଼ା

ଶିଶୁର ଅଧର ଚୁମ୍ୱିତ ଚାରୁ ଚୁଚୁକ ଭଳି

ଚୂଳ ହେବ ତାର ସ୍ୱର୍ଣ୍ଣ-ଜଡ଼ା ।’’

ରାଜ ଦରବାରେ ଚାହିଁଲେ ସକଳେ ୟା ତା ମୁଖେ

ମହୋତ୍ସୁକେ ।

ମୁଖରି ଉଠିଲା ସକଳ ପ୍ରାଣର ଉତଳା ଢେଉ,

‘‘ତାହାହିଁ ହେଉ,

ତାହାହିଁ ହେଉ ।’’

ପଲକବିହୀନ ନୟନରେ ନାରୀ ଦେଖଇ ପୁଣି

ପାଗୋଡ଼ାର ସେଇ ଅତୁଳ ଛବି,

ସମ୍ଭ୍ରମେ କହେ

‘‘ଆମରି ଜାତିର ସୁପାୟାଲାତ

ଅତୁଳ କବି ଗୋ ଅତୁଳ କବି ।’’

Image

 

ରବୀନ୍ଦ୍ର

 

ତମିସ୍ରାର ଯବନିକା ଜାଳିଦେଇ ହେ ସ୍ୱୟଂପ୍ରକାଶ

ଧରିତ୍ରୀର ବକ୍ଷତଳେ ପୁଞ୍ଜୀଭୂତ ଯେତେ ରସ ହାସ

ସଂଭ୍ରମେ ନେଇଚ ଶୋଷି ଉର୍ଦ୍ଧ୍ୱ ଲୋକେ ହେ ରବି, ହେ କବି

ଜୀବନର ସ୍ତରେ ସ୍ତରେ ତୋଳିଅଛ ଅଶାନ୍ତି ଭୈରବୀ ।

 

ଶଙ୍କିତ ମୁଁ କବି ଏକ ଦୁଃସହ ଏ ତୁମରି ରୀତିରେ

ଅନାଇଛି ତବ ମୁଖେ ତବ ପଥେ ଅତୁଳ ଭୀତିରେ ।

ଚକ୍ଷୁର ପଲକେ ଦେଖେ, ଏକି ଦେଖେ ଅନମ୍ୱର ବୁକେ

ନବ ଜନ୍ମ ନେଇ ତୁମେ ଦେଖାଦିଅ ପ୍ରାଣର ସମ୍ମୁଖେ ।

 

କେବଳ ତ ରବି ନୁହ, ତୁମେ ପୁଣି ଇନ୍ଦ୍ର ରସବନ୍ତ

ସବୁରଶ୍ମି ସବୁ ତାପ ପଲକରେ କରି ପରାହତ

ମନ୍ଦ୍ର ଭାଷେ ଛନ୍ଦେ ଛନ୍ଦେ ଢାଳିଦିଅ ଉନ୍ମତ୍ତ ମଲ୍ଲାର

ବିଦଗ୍‍ଧର ପ୍ରାଣେ ପ୍ରାଣେ ଭରିଦେଇ ଆଷାଢ଼ ଆସାର ।

 

ମୟୁଖରେ, ଆସାରରେ ଆହେ ରବି, ଆହେ ଇନ୍ଦ୍ର ତୁମେ

କାବ୍ୟଶ୍ରୀର ଇନ୍ଦ୍ର ଚାପ ସୃଜିଅଛ ମରମର୍ତ୍ତ୍ୟଭୂମେ ।

Image

 

 

ନର ବ୍ୟାଘ୍ର ବଧ କଲେ ତାର ନାମ ପ୍ରମୋଦ-ଶିକାର,

ବ୍ୟାଘ୍ର ନର ବଧ କଲେ ତା’ ହୁଏ ତୀବ୍ର ହିଂସାଚାର ।

ନର ହତ୍ୟା କଲେ ନର ବିଚାରରେ ଫାସିଦଣ୍ଡ ପାଏ

ଜାତି ଧ୍ୱଂସ କଲେ ଜାତି ତାର କୃତ୍ୟ ବୀରତ୍ୱ ବୋଲାଏ ।

 

ଜଗତରେ ଯିଏ ପାରେ, ଜଗତରେ କରେ ଏକା ସିଏ

ଯିଏ ଜମା ପାରେ ନାହିଁ ସେଇ ଲୋକ ଖାଲି ଶିକ୍ଷା ଦିଏ ।

ସତ୍‍ ଇଚ୍ଛା ଏ ଜଗତେ ତିଆରିଛି ନରକର ପଥ

ମନ୍ଦ ଇଚ୍ଛା କରିନାହିଁ, ଭୁଲ୍‍ ବୁଝେ ଦିକ୍‍ଭ୍ରାନ୍ତ ବିବ୍ରତ ।

 

ଅତିଶୟ ଭଲ ଯିଏ, ପ୍ରାଣ ଦେଇ ଜଗତକୁ ଚାହେ

ଭୟଙ୍କର ପରିଣାମ ନିଜ ପାଇଁ ସୃଷ୍ଟି କରିଥାଏ ।

ବଞ୍ଚିବାକୁ ହେଲେ ବିଶ୍ୱେ ଅପରକୁ ମାରିବାକୁ ହେବ !!

ଶାଣିତ ବାଣୀର ବାଣ ଶୁଣାଉଛ ଆହେ ସହଦେବ ।

 

ବିଦ୍ରୁପର ବକ୍ରବାକ ଶୁଣାଉଛ ହେ ଦୁର୍ମୁଖ ସ,

ଧରିତ୍ରୀର ପଥେ ପଥେ ତୁମେ ଆଜି ମହାଦୁର୍ବିଷହ ।

Image

 

ଅରବିନ୍ଦ

 

ଜୀବନର ପଙ୍କମୟ ସୀମାହୀନ ଏଇ ପୃଥ୍ୱୀଲୋକେ

ଅରବିନ୍ଦ, ଆଧ୍ୟାତ୍ମ୍ୟର ଉଦ୍ଭାସିତ ସବିତୃ-ଆଲୋକେ

ବିକସିତ କରିଦେଇ ଆପଣାର ଆତ୍ମା ଅନାବିଳ

ଅମର୍ତ୍ତ୍ୟ ସୌରଭ-ପୁଞ୍ଜେ ଭରୁଅଛ ଅନନ୍ତ ଅଖିଳ ।

 

ମହାଭାରତର ତୁମେ ଭୀଷ୍ମ ଥିଲ, ଥିଲ ଦେବବ୍ରତ

ହେ ଯୋଗୀନ୍ଦ୍ର ଅରବିନ୍ଦ, ହେ ଅନନ୍ୟ ବିରାଟ ମହତ

ଧର୍ମର ଅମର ସ୍ୱର ତୋଳି ତୁମେ ମାନବର ଲାଗି

ଧର୍ମକ୍ଷେତ୍ର ଏ ଭାରତେ ଧର୍ମବୀର ଉଠିଥିଲ ଜାଗି ।

 

କି ଦେଖିଲ ମନୁଷ୍ୟତା, କ୍ଳୀବ, ଦୀନ ପୌରୁଷବିହୀନ,

କି ଦେଖିଲ ନୟନ ସମ୍ମୁଖେ, ହେ ପ୍ରଜ୍ଞାନୀ, ହେ ପ୍ରବୀଣ,

ଜ୍ୱାଳାମୟ ସାଧନାର ତୀକ୍ଷ୍‌ଣାଶୁଗ ଶରଶଯ୍ୟାପରେ

ଅକୁଣ୍ଠିତ ଅଙ୍ଗ ତବ ଢାଳି ଦେଇଅଛ ଅକାତରେ ।

 

ମହାଭାରତର ତୁମେ ହେ ଗାଙ୍ଗେୟ ଭୀଷ୍ମ ଦେବବ୍ରତ

ମହାଭାରତର ଋଷି ଶୁଣାଉଛ ଅମୃତର ମନ୍ତ୍ର ।

Image

 

ଆଣ୍ଡୃଜ

 

ଭାରତର ଲକ୍ଷ୍ମୀ ଯେବେ ତୁମର ସେ ସମୁଦ୍ର ସହରେ

ବନ୍ଦିନୀ, ବିଦ୍ରୋହୀ ତୁମେ ବିଭୀଷଣ ଅନ୍ତରେ ଅନ୍ତରେ,

କି ଭାବିଲ, କୁଳଗୋତ୍ର ଛାଡ଼ିଦେଇ, ଛାଡ଼ିଦେଇ ଦେଶ

ବରିନେଲ ଏ ଦେଶର ମହାଦୁଃଖ, ଦୈନ୍ୟ-ପରିବେଶ ।।

 

ଦୃଷ୍ଟି-ହୀନ ଧୃତରାଷ୍ଟ୍ର ଯେବେ ଆମ ଏଇ ରାଷ୍ଟ୍ରସାରା

ପଥେ ପଥେ ଭରୁଥିଲା ଦୁଃଶାସନ ଶକୁନିର ଜ୍ୱାଳା ।

ତୁମେ ତେବେ ପଳେ ପଳେ ହେ ବିଦୂର ହେ ଅନଘମନା

ପୀଡ଼ିତ ଜନତା ଲାଗି କରୁଥିଲ କଲ୍ୟାଣ ସାଧନା ।

 

ଭାରତର ଦୁଇପ୍ରାନ୍ତେ ସେବାଗ୍ରାମ, ଶାନ୍ତି ନିକେତନ

ଦୁଇଟିର ପ୍ରାଣଧାରା ବରିନେଇ ତୁମେ ପୁଣ୍ୟାତ୍ମନ

ଦେଖୁଥିଲ ବଞ୍ଚିତ ଏ ଲାଞ୍ଛିତ ଏ ଦେଶର ବକ୍ଷରେ

ବିଜୟର ଅଭିଲେଖ ଉତ୍‍କୀର୍ଣ୍ଣ ସୁବର୍ଣ୍ଣ ଅକ୍ଷରେ ।

 

ପ୍ରତୀଚୀର କୋଳେ ଜନ୍ମି ହେ ଆଣ୍ଡୃଜ, ପ୍ରାଚୀର ଏ ମ

ବରିନେଲ, ଶିଶିର-ବସନ୍ତ ଛାଡି ନିଦାଘର କ୍ରାନ୍ତି ।

Image

 

କୁଳବୃଦ୍ଧ ମୁଁ ହିମାଚଳ

 

 

ଅନାଦି କାଳର ହିମାଚଳ ମୁହିଁ

କୁଳବୃଦ୍ଧ ମୁଁ ହିମାଚଳ,

ବେନିକରେ ବେନି ପାରାବାର ଛୁଏଁ

ଶିରେ ଛୁଏଁ ନୀଳ ନଭତଳ ।

 

ପ୍ରହରୀ ପରାଏ ଦିନରାତି,

ଉଭା ରହିଅଛି ଛାତିପାତି ।

 

ଜଗି ରହିଅଛି ପ୍ରିୟ ଦେଶ ମୋର

ଅଖିଳ ଭାରତ-ଅଞ୍ଚଳ ।

ଅନାଦି କାଳର ହିମାଚଳ ମୁହିଁ

କୁଳବୃଦ୍ଧ ମୁଁ ହିମାଚଳ ।

 

 

ଭାରତ ପାଇଁ ମୁଁ ଫିଟାଇ ଦେଇଚି

ରୁଦ୍ଧ ମୋହର ହୃଦକାରା,

ସେନେହ ପ୍ରୀତିର ମମତାବୀଥିର

ଛୁଟାଇ ଦେଇଚି ଚିର ଧାରା ।

ଗଙ୍ଗାଯମୁନା ବାରିରାଶି

ପଥେ ପଥେ ନିତି ପଡ଼େ ଝାସି;

 

ସିନ୍ଧୁ ସରିତ ଶସ୍ୟ-ହରିତ

କରେ ପଞ୍ଜାବ ବୁକୁସାରା,

ଭାରତ ପାଇଁ ମୁଁ ଫିଟାଇ ଦେଇଚି

ରୁଦ୍ଧ ମୋହର ହୃଦକାରା ।

 

 

ମହାସାଗରରୁ ଛୁଟିଆସେ ଯେବେ

ନୂଆ ଆଷାଢ଼ର ମଉସୁମୀ,

ସ୍ନିଗ୍‍ଧ ଶୀତଳ କରିବା ପାଇଁ କି

ଦଗ୍‍ଧ ତାପିତ ଧରାଭୂମି ।

ପାଷାଣ ଛାତିରେ ଅଟକାଇ

ଦୂରେ ତାକୁ ଛାଡ଼ି ଦିଏ ନାହିଁ ।

ଚିର ଫୁଲ-ଫଳ-ଶସ୍ୟେ ଏ ଦେଶ

ହସେ ବର୍ଷାର ଧାରା ଚୂମି,

ମହାସାଗରରୁ ଛୁଟିଆସେ ଯେବେ

ନୂଆ ଆଷାଢ଼ର ମଉସୁମୀ ।

 

 

ଅନାଦି କାଳର କୁଳବୃଦ୍ଧ ମୁଁ

ଧବଳ ହେଲାଣି ମୋର କେଶ,

ଦେଖିଲିଣି କେତେ ଘଟନାର ଘଟା

ଚକିତ ନୟନ ଅନିମେଷ ।

କେତେ ଉତ୍‍ଥାନ ପତନର

କେତେ ପୁରାତନ ନୂତନର

ଦେଖିଲିଣି କେତେ ଚିତ୍ର ବିଭବ

ଭଲ ମନ୍ଦର କେତେ ବେଶ,

ଅନାଦି କାଳର କୁଳବୃଦ୍ଧ ମୁଁ

ଧବଳ ହେଲାଣି ମୋର କେଶ ।

 

 

ସଭ୍ୟତା-ଭାନୁ ପ୍ରଥମେ ଉଇଁଚି

ଏଇ ଭାରତର ପ୍ରାଚୀତୀରେ

ପ୍ରଥମ ଆଲୋକ ଜାଗିଚି ଏ ନଭେ,

ଝଲକ ଝଲଚି ନଦୀନୀରେ

ଜ୍ଞାନ ବିଜ୍ଞାନ ଜୋତିଲେଖା

ଦେଇଅଛି ଏହି ବନେ ଦେଖା,

ଏଇ ଭାରତର ବକ୍ଷୁଁ ଆଲୋକ

ସଞ୍ଚରି ଅଛି ଧରଣୀରେ,

ସଭ୍ୟତା-ଭାନୁ ପ୍ରଥମେ ଉଇଁଚି

ଏଇ ଭାରତର ପ୍ରାଚୀତୀରେ ।

 

 

ଜ୍ଞାନ ବିଜ୍ଞାନ ଧନମାନରାଶି

ପୂରିଅଛି ଏହି ଦେଶକୋଳେ;

ବିଶ୍ୱ ଜଗତ ବିସ୍ମୟଭରେ

ଲକ୍ଷ୍ୟ କରିଚି କଳରୋଳେ

ଜ୍ଞାନ ପାଇଁ ପୁଣି ଧନ ପାଇଁ

କିଏ କେତେ ଆସି ଅଛି ଧାଇଁ,

କେତେ କେ ଆସିଚି, କେତେ କେ ଯାଇଚି

ଦେଖିଅଛି ମୁହିଁ ଏଇ ଡୋଳେ,

ଜ୍ଞାନ ବିଜ୍ଞାନ ଧନମାନରାଶି

ପୂରିଅଛି ଏଇ ଦେଶ କୋଳେ ।

 

 

ଭାରତେ ହିନ୍ଦୁ ମୁସଲିମ୍‍ ଆଜି

ଭବିଷ୍ୟତର ଅଧିବାସୀ,

କାଳର ପ୍ରବାହେ କିଏ କେଉଁ ଦେଶୁ

ଆସିଥିଲେ ଆସିଥାଉ ଭାସି;

ଏକ ଦେହେ ଯଥା ଦୁଇ ହାତ

ଏଇ ଦେଶେ ହୋଇ ଆତଯାତ

ଦୁଇ ଜାତି ମଳି ଏକ ଆତ୍ମାରେ

ମୁକ୍ତି-ସମରେ ଥିଲେ ଝାସି,

ଭାରତେ ହିନ୍ଦୁ ମୁସଲିମ ଆଜି

ଭବିଷ୍ୟତର ଅଧିବାସୀ ।

 

 

କିପରି ଦେଖିବି କୁଳବୃଦ୍ଧ ମୁଁ

ଭାରତ ଯେ ଆଜି ଦୁଇ ଭାଗ ?

ମହୀୟାନ ଏହି ଦେଶର ବୁକୁରେ

କାଳିମା ଆଜି ଏ କଳାଦାଗ ।

 

ବ୍ୟଥିତ ଏ ମୋର ହିଆ ଭରି

କାତର ମିନତି ପଡ଼େ ଝରି,

‘‘ଦୁଇ ଭାଇ ମିଳି ଚଳ ଦୁଇ ଜାତି

ଏକ ଆନେ ଦେଇ ପ୍ରେମ-ରାଗ,

କିପରି ଦେଖିବି କୁଳବୃଦ୍ଧ ମୁଁ

ଭାରତ ଯେ ଆଜି ଦୁଇ ଭାଗ ?’’

Image

 

କିଏ ତାକୁ ମାରି ପାରେ ?

 

କେଉଁ ଆତତାୟୀ କେଉଁ ଜହ୍ଲାଦ

ତାକୁ ଆଜି ମାରି ପାରେ ?

ବିଦ୍ୟୁତ କିଏ ଲୁଚାଇ ପାରେ କି

ଘନ ଘୋଇ ଅନ୍ଧାରେ ?

ନିଭାଇ ପାରେ କି କେହି ?

ନିର୍ଦେହ ସେ ତ ଅମର ଜୀବନ,

ନୁହେ ଭଂଗୁର ଦେହୀ ।

ଅହିଂସାର ସେ ବିପ୍ଳବ ଏକ

କରୁଥିଲା ଅଭିଯାନ

ଅନ୍ତରେ ତାର ଭରି ଉନ୍ନତ

ସତ୍ୟର ସଂଧାନ ।

ସଂସାରୁ ତଳୁ ହିଂସାର ଜ୍ୱାଳା

କରିବାକୁ ନିଃଶେଷ,

ଆହତ ମନର ଲୁହ ଲହୁ ଢାଳି

ଲଢ଼ୁଥିଲା ଅନିମେଷ ।

ଜଗତର ପ୍ରାଣେ ଶୁଣାଉ ଥିଲା ସେ

ଗମ୍ଭୀର ବାଣୀ ତାର,

‘‘ସ୍ୱାଦୀନତା ପରା ମଣିଷ ଜାତିର

ଜୈବିକ ଅଧିକାର ।

କାହାରି ଚରଣେ ଶୃଖଳ କେହି

ବାନ୍ଧି ପାରିବେ ନାହିଁ ।

ଜଣକର ସୁଖ ସଂଭୋଗ ଶିରୀ

ଅନ୍ୟ ଯିବେନି ଖାଇ ।

ହତ୍ୟା-ରକତେ ମଣିଷର ପଥ

ହେବନାହିଁ ରଞ୍ଜିତ,

ହୃଦୟେ ହୃଦୟ ପ୍ରୀତିର କମଳ

ହେବ ଉତ୍‍ଫୁଲ୍ଲିତ୍‍ ।

ମାଟିର ଏ ଧରାତଳ,

ସାମ୍ୟ ମୈତ୍ରୀ ଅନୁରାଗେ ହେବ

ଉର୍ବର ସୁନ୍ଦର ।’’

ବନ୍ଦନା-ବାଣୀ ରଣି ଉଠୁଥିଲା

ବିଶ୍ୱଭୂବନମୟ

‘‘ହେ ଅହିଂସାର ନବ ଅବତାର

ଜୟ ଗାନ୍ଧିଜୀ ଜୟ ।’’

ଆଢ଼ୁ ଆଳେ ବସି ଶୁଣୁଥିଲା ଭୀରୁ

ହିଂସାର ସନ୍ତାନ,

ଜାରଜ ମନର ରାତ୍ରିଚର ସେ

ଦୁର୍ମଦ ସୈତାନ ।

ଖୋଜୁଅଛି ଯିଏ ମଣିଷ-ରକତ

ଖୋଜୁଚି ସ୍ୱୈରାଚାର

ମାଗୁଚି ନଗ୍ନ ଉତ୍କଟ ଭୋଗ

ସାନ୍ଦ୍ର ଅନ୍ଧକାର ।

ଆଲୋକ ସହଜେ ଅସହଣୀ ତାର

ପାପର ଅନ୍ତରାୟ,

ଅଚିରେ ତେଣୁ ସେ ଜ୍ୟୋତିପୁଞ୍ଜରେ

ନିଭାଇ ଦେଇଚି ହାୟ !

ହିଂସାର ଲହୁ ଧାରେ

ଆଜି ସେ ତାହାକୁ ବିଦାୟ ଦେଇଚି

ମୃତ୍ୟୁ-ଅନ୍ଧକାରେ ।

ଅନ୍ଧକାରେ ସେ ଲୁଚି ଯାଇଚି କି

କ୍ରାନ୍ତିର ବିଦ୍ୟୁତ ?

ମରଣର ବୁକେ ଅଭ୍ୟୁଦୟ ସେ

ଅକ୍ଷୟ ଅଦ୍ଭୁତ ।

ମୃତ୍ୟୁ ତାହାର ନାହିଁ,

ପୃଥିବୀରେ ତାକୁ ମାରି ପାରିବାକୁ

ଘାତକ ଅଛିରେ କାହିଁ ?

Image

 

Unknown

ମରି ସୁଦ୍ଧା ସେ ମରି ନ ଥିଲା ରେ,

 

 

ମରି ସୁଦ୍ଧା ସେ ମରି ନ ଥିଲା ରେ

ଆମେ ଆଜି ତାକୁ ଦେଉଚେ ମାରି,

ଭଣ୍ଡତା ଆଉ କେତେ ଦେଖାଇବା

ଆଜି ତାର ସ୍ମୃତି-ଶ୍ରାଦ୍ଧ ପାଳି ?

ଦେଶର ସକାଶେ ଜାତିର ସକାଶେ

ସେବା ଧର୍ମର ଦେଖାଇ ଛଳ

କର୍ମୀ ନାଆଁରେ ତିଆରି ହେଲେଣି

ଶଠ ବଞ୍ଚକ ଦଳକୁ ଦଳ ।

ଆମ ଏ ଦେଶରେ ଚାଳକ ନାହିଁରେ,

ମନେ ମନେ ଆଜି ସବିଏ ନେତା,

ଦେବତା ଲାଗିଲେ କାଳିସି ପରାଏ

କ୍ଷମତାରେ ଆଉ ରହୁନି ଚେତା ।

ବଢ଼ି ମହରଗ ପୀଡ଼ିତ ଦେଶରେ

ଯେଉଁ ଖଦ୍ଦଡ଼ ପରମ ବସ୍ତ୍ର

ଶେଠ ଜମିଦାର କଲେଣି ତାକୁ ରେ

କିଳା ପୋତେଇର ଚରମ ଅସ୍ତ୍ର ।

ଏଡ଼େ ଜୀବନକୁ କବର ଦେଇ ରେ

ମାତି ଉଠିଲେଣି ଭଣ୍ଡାଚାରୀ,

ଭଣ୍ଡତା ଆଉ କେତେ ଦେଖାଇବା

ଆଜି ତାର ସ୍ମୃତି-ଶ୍ରାଦ୍ଧ ପାଳି ?

 

 

ଖଣ୍ଡଛିନ୍ନ ଆମ ଉତ୍କଳ

ଅଖଣ୍ଡ କରି ଗଢ଼ିବା ଲାଗି,

ଉତ୍କଳ ମଣି ଗୋପବନ୍ଧୁ ଯେ

ଲଢ଼ୁଥିଲା ଅବିଶ୍ରାନ୍ତ ଜାଗି ।

ପଡ଼ୋଶୀ ପ୍ରଦେଶ ସମ୍ମୁଖେ ଆମେ

ଏ କି ଦୁର୍ଗତି ଆଣିଲୁ ଭଲା,

ଅମ୍ଳାନ ମୁଖେ ଟେକି ଦେଲୁ ଦାନ

ଆମ ଖରସୁଆଁ ଷଢ଼େଇକଳା ।

ହଜାର ହଜାର ବକ୍ଷୁଁ ଆମର

ଛୁଟାଇଲୁ ନାହିଁ ରକତ ନଦୀ,

ଦୂର୍ମୁଖ ମୂଖୁଁ ପ୍ରତିବାଦ-ବାଣୀ ।

ଉଠାଇଲୁ ନାହିଁ ଗୋଟିଏ ପଦ ।

ମହାଭାରତର ସ୍ୱାର୍ଥ ପାଇଁକି

ଦେଲୁ ଆଜି ଆମ ସ୍ୱାର୍ଥ ଢାଳି;

ଭଣ୍ଡତା ଆଉ କେତେ ଦେଖାଇବା

ଆଜି ତାର ସ୍ମୃତି-ଶ୍ରାଦ୍ଧ ପାଳି ?

 

 

ଭଗୀରଥ ପରି ସ୍ୱଦେଶ ପ୍ରୀତିର

ଗଙ୍ଗା ଏ ଦେଶେ ଯେ ଆଣିଥିଲା,

ଚାହିଁ ଦେଖ ଏବେ ଘରେ ଘରେ ଆଜି

ମାତି ଉଠୁ ଅଛି ବହ୍ନିଲୀଳା ।

ଆଖିର ଲୋତକେ ଛାତିର ରକତେ

ଉର୍ବର କଲା ଯେ ଦେଶତଳ,

ସେ ଭୂଇଁରେ ଆଜି ଯେଉଁ ବୀଜ ପୋତ

ଦେଖା ଯାଉ ନାହିଁ ଗୋଟିଏ ଫଳ ।

ବିନ୍ଦୁ ବିନ୍ଦୁ ରକତ ଦେଇ ଯେ

ଆପଣାକୁ ଏଥି କରିଲା ଶେଷ,

ବୁଝିଲା କି ତାକୁ ଦୁର୍ଗତ ଜାତି

ବୁଝିଲା କି ତାକୁ ଦୁଃସ୍ଥ ଦେଶ ?

ଚିତାନଳ କାଟି ରଞ୍ଚିଥିଲା ଯେ

ଆମେ ଆଜି ତାକୁ ଦେଉଚେ ଜାଳି,

ଭଣ୍ଡତା ଆଉ କେତେ ଦେଖାଇବା

ଆଜି ତାର ସ୍ମୃତି-ଶ୍ରାଦ୍ଧ ପାଳି ?

Image

 

ଜାନୁଆରୀ ଛବିଶ

 

କହ ରେ ଚଟୁଳ ସୁନାର ମିରିଗ

ଛଇଳ ମାରୀଚ ଆଜି,

ଦେଖାଉଚୁ ଆମ ଭୋକିଲା ଆଖିରେ

ସ୍ୱପ୍ନର ଏ କି ବାଜି ?

ଘରେ ରହି ଆମେ ରାମ ଭଳି ଆଜି

କରୁଅଛୁ ବନବାସ,

ରାମରାଜ୍ୟର କଳ୍ପନା କାହିଁ ?

ଶାସନର ଏ ତ ଫାଶ ।

ଚଟୁଳ ରୂପରେ ସୁନାର ମରିଗ

ଆସିଅଛୁ ତୁହି ଆଜି,

ଦେଖାଉଚୁ ଆମ ଭୋକିଲା ଆଖିରେ

ସ୍ୱପ୍ନ ଏ କି ବାଜି ?

 

 

ତିନି ବର୍ଷର ତଳେ,

ଭାରତ କାନରେ ଶୁଣାଇ ଥିଲୁରେ

ଅଭୟ ଦୀପ୍ତ ସ୍ୱରେ ।

‘‘ମୁଉଁ ଜାନୁଆରୀ ଛବିଶ ତୋହର

ସୁପ୍ରିୟ ପରିଚିତ,

କୋଡ଼ିଏ ବରଷ ଗାଇଚି ତୋ ସାଥେ

ଦେଶ ମୁକ୍ତିର ଗୀତ ।

ପୂର୍ଣ୍ଣ ସ୍ୱରାଜ ଅଗ୍ନି ଶପଥ

ଜାଳି ବକ୍ଷର ତଳେ

ମୁକ୍ତି ନିଶାଣ ତୋଳି ଧରିଥିଲି

ଭାରତ, ତୋ ଛାତିପରେ ।

ଅଙ୍ଗନେ ତୋର ଆସିଚି ମୁଁ ଆଜି

ଗଣ ଶାସନର ଦୂତ,

ଭାରତବର୍ଷ ଅତୁଳ ହର୍ଷ

ଉଠ ଆଜି, ମାତି ଉଠ ।

ବିଦେଶୀ ଶାସନ ଖାଲି ଶାବ୍ଦିକ

ସ୍ୱାଧୀନତା ଦେଇ ତତେ,

ପଣ୍ୟର ତରୀ ବାହି ନେଇ ଥିଲା

ମହାସିନ୍ଧୁର ପଥେ ।

ସ୍ୱାଧୀନତା ପାଇ ଉପନିବେଶର

ଶାସନ ଭିତରେ ରହି

ବିଦେଶୀ ହାତରେ ବଂଧା ରହିଲୁ

ଆରେ ସଂଗ୍ରାମ ଜୟୀ ।

ବଂଧନ କୋର ଛିନ୍ନ ଆଜି ରେ

ଦୂର୍ଦିନ ତୋର ଶେଷ,

ମୁକ୍ତ ତୁ ଏବେ ପୂର୍ଣ୍ଣ ସ୍ୱାଧୀନ

ଗଣ ଶାସନର ଦେଶ ।

ନୂତନ ଆଲୋକେ ବିଶ୍ୱ-ଭୂଲୋକେ

ଉଜ୍ଜ୍ୱଳ ତୋର ମୁଖ,

ମୁକ୍ତି ସମତା ମୈତ୍ରୀ ମମତା

ନେ ରେ ଶାନ୍ତି-ସୁଖ ।’’

ଚୋରା ମଳୟରେ ଶୁଣାଇ ଥିଲୁ ତୁ

ପିକ ପଞ୍ଚମ ରୁତ,

‘‘ମୁଉଁ ଜାନୁଆରୀ ଛବିଶ, ଆସିଚି

ଗଣ ଶାସନର ଦୂତ ।’’

 

 

ଗଣ ଶାସନର ରାଜୁତି ଚାଲିଚି

ଗଣ ଶାସନର

କହ ରେ ବାର୍ତ୍ତାବହ,

କାହିଁ ସେ ମୁକ୍ତି କାହିଁ ସେ ଜୈତ୍ରୀ ?

କାହିଁ ସେ ଶାନ୍ତି କହ ?

ଆଜି ତ ଆମେ ବି ଉପାସେ ମରୁଚୁଁ

ଅନ୍ନ ମୁଠାକ ପାଇଁ

ଦେହର ଲଜ୍ଜା ନିବାରଣ ଲାଗି

ବସ୍ତ୍ର ବି ମିଳୁନାହିଁ ।

ଦୁଃସ୍ଥ ଭୋକିଲା ଜନତା ଆଗରେ

ଧନିକ ଦେଖାଇ ବାଜି

ବୁଦ୍ଧି ବିବେକ ଜ୍ଞାନ ଗଉରବ

ଲୁଟି ନେଉଅଛି ଆଜି ।

ଗଣ ଶାସନର ତଳେ ବାଦ, ଭେଦ,

ଅନ୍ୟାୟ, ଅବିଚାର

କଜଳ-ରାତିର ଅନ୍ଧାର ପରି

ବଢ଼ୁଅଛି ଅନିବାର ।

କହ ରେ ଚଟୁଳ ସୁନାର ମିରିଗ,

ଛଇଳ ମାରୀଚ ଆଜି,

ଦେଖାଉଚୁ ଆମ ଭୋକିଲା ଆଖିରେ

ସ୍ୱପ୍ନର ଏ କି ବାଜି ?

Image

 

କବି ଓ ଶିଳ୍ପୀ

 

ମୋର ଏଇ ଆଖି ଆଗେ ଜଣକୁ ଦେଖିଲେ,

ଆଉ ଜଣକର ଛବି ତାହାରି ସାଥିରେ

ମୋର ସ୍ମୃତି-ଭାଗେ

ଜାଗେ,

ସ୍ୱତଃ ଜାଗେ ।

ଦୁହେଁଯାକ ମୋ ଦେଶର କମ୍ର କଳାକର

ଦୁହେଁ ସମଧର୍ମା,

ଜଣେ କବି ଲକ୍ଷ୍ମୀକାନ୍ତ ମହାପାତ୍ର,

ଆଉ ଜଣେ ଶିଳ୍ପୀ ବି. ବର୍ମା ।

ଜଣକର ଛିଦ୍ରଯୁକ୍ତ ଜୀବନ-ବେଣୁରେ

କାନ୍ତ ସୁରେ

ଉଛୁଳଇ ମୁକ୍ତ ତରଙ୍ଗିତ

ଜୀବନ-ସଂଗୀତ ।

ଆରେକର ତରୁଣ ବୁକରୁ

ଝରେ ଯେଉଁ କରୁଣ ଓ ଅରୁଣ ରୁଧିର

ସୃଷ୍ଟ ତାର ଚିତ୍ର-ଜଗତକୁ

କରୁଅଛି ଜୀବନ୍ତ ରୁଚିର ।

ମୋ ଦେଶର ଉପେକ୍ଷିତ

ସେଇ କବି ଶିଳ୍ପୀର ଲକ୍ଷ୍ୟରେ......

ମୋର ଶ୍ରଦ୍ଧା, ମୋ ପ୍ରୀତିର ଢେଉ,

ଅମିତାଭ, ଅମିତାୟୁ ହେଉ,

ସିକ୍ତ ଏ ଅକ୍ଷରେ ।

Image

 

ପିଗ୍‌ମେଲିଆନ ଓ ବର୍ମା

 

 

ଜାଣିଥିବ ତୁମେ ବି. ବର୍ମା ହେ

ଦୂର ଅତୀତର କୋଳେ

ଶିଳ୍ପୀ ସେ ଥିଲା ପିଗ୍‌ମେଲିଆନ

ସୃଜନାନନ୍ଦ ଭୋଳେ ।

 

ଗଜଦନ୍ତର ମୂର୍ତ୍ତି ଗୋଟିଏ

ଗଢ଼ିଲା ପ୍ରାଣର ପ୍ରିୟା,

ସୁନ୍ଦର କରି ମଞ୍ଜୁଳ କରି,

ନାମ ଦେଲା ଗ୍ୟାଲାସିଆ ।

 

ମନରେ ଭାଳିଲା ସେଇ ଯେ ମୃର୍ତ୍ତି

ମାନସ ନାୟିକା ତାର,

ଅଙ୍ଗୁଳିରେ ତା ଅଙ୍ଗୁରୀ ଦେଲା

ଗଳାରେ ଭରିଲା ହାର ।

କବରୀରେ ଦେଲା କୁସୁମର ବେଢ଼ା,

ପରାଗ ବୋଳିଲା ଭାଲେ;

ଚିବୁକରେ ଦେଲା ମଧୁ ଚୁମ୍ୱନ

ଚୁମ୍ୱନ ଦେଲା ଗାଲେ ।

 

ଆଫ୍ରୋଡ଼ାଇଟ୍‍ ଦେବୀ ସମ୍ମୁଖେ

ଜଣାଇଲା ପ୍ରାଣ ଢାଳି,

‘‘ସୁପ୍ରିୟା ମୋର ଗ୍ୟାଲାସିଆ ଭଳି

ଦିଅ ମତେ ଏକ ନାରୀ ।’’

ଶିଳ୍ପର ଦେବୀ ବୁଝିଲା ଅଚିରେ

ଭକ୍ତ ବୁକୁର ବ୍ୟଥା,

ପିଗ୍‌ମେଲିଆନ୍‍ ଘରେ ଯାଇ ଦେଖେ

ଅତି ଅଦ୍ଭୁତ କଥା ।

ରକତ ମାଉଁସ ମୂର୍ତ୍ତି ହୋଇଚି

ଶିଳ୍ପ-ପ୍ରତିମା ତାର,

ଗଜଦନ୍ତର କାନ୍ତି ଦିଶୁଚି

ଦୁଧ ଅଳତାରେ ଲାଲ,

 

ଓଷ୍ଠ ଅଧରେ ହାସ୍ୟ ଫୁଟାଇ

ଜଣାଇଲା ଗ୍ୟାଲାସିଆ,

‘‘ପିଗ୍‌ ମେଲିଆନ୍‍ ତୁମେ ମୋର ପ୍ରିୟ,

ମୁହଁ ଯେ ତୁମର ପ୍ରିୟା ।’’

 

ଶିଳ୍ପୀ ପୁଲକେ ଚୁମ୍ୱନଟିଏ

ଲେଖି ଦେଇ ତାର ମୁଖେ

ବାହୁ-ବଳୟରେ ବନ୍ଧନ କରି

ଚାପି ନେଲା ଖୋଲା ବୁକେ ।

 

ମାନସୀ ତାହାର ପ୍ରେୟସୀ ହୋଇଲା,

ହେଲା ତାର ପ୍ରାଣବଧୂ,

ସାରା ଜୀବନ ସେ ଭୁଞ୍ଜିଲା ତାର

ଅମର ପ୍ରେମର ମଧୁ ।

 

 

ବାଧେ, ଭାରି ବାଧେ ବି ବର୍ମା ହେ,

ଭାବିଲେ ତୁମର କଥା,

ଅନ୍ତରେ ମୋର ଭରି ଭରି ଉଠେ

ଗଭୀର ବେଦନା ବ୍ୟଥା ।

କେତେ କି ପ୍ରତିମା, କେତେ କି ମୂର୍ତ୍ତି

ରଚିଲ ହୃଦୟ ଢାଳି,

କେତେ ଯେ ଚିତ୍ର ଆଙ୍କିଲ ପୁଣି

ଯାଦୁର ତୁଳିକା ଚାଳି !

 

ଶଳ୍ପ ତୁମର, ଚିତ୍ର ତୁମର,

ରଞ୍ଜନ ତୁମ ତୁଳି,

କଲାର ରାଇଜେ ସୃଜି ଦେଇଅଛି

ସ୍ୱପ୍ନର ଏକ ପୁରୀ ।

 

ମାନସୀର ଛବି ଫୁଟାଇଲ ତୁମେ

ଅନ୍ତର ପରକାଶି,

ରକତ ମାଉଁସ ଦେହ ଧରି କେହି

ଛିଡ଼ା ହେଲା ନାହିଁ ଆସି ।

 

ନିଦାରୁଣ ରୋଗ ଭୋଗୁଅଛି ଆଜି

ରୁଗ୍‍ଣ ତୁମର ଦେହ,

ଆସିଲେନି କେହି ସଙ୍ଗିନୀ ତବ

ଦେବାକୁ ଟିକିଏ ସ୍ନେହ ।

 

ବଞ୍ଚିତ ତୁମେ ବଞ୍ଚିଚ ଆଜି

ଦାନ ଦେଇ ଅନୁପମ

ଆପେ ଜଳି ଜଳି ଅର୍ଚ୍ଚି ଢାଳୁଚ

ଦଗ୍‍ଧ ଶଳିତା ସମ ।

 

ସାଇପ୍ରସ୍‍ର ସେ ବର ଶିଳ୍ପୀର

ସ୍ୱପ୍ନ ହୋଇଚି ସତ,

ଓଡ଼ିଶାର ଆମ ବି,ବର୍ମା ହେ

ଭଗ୍ନ ସମରାହତ ।

Image

 

ସ୍ମୃତିର ପାଣ୍ଡୁଲିପି

 

ଭଦରଖ ଯାଇ ଆଉ ଥରଟିଏ

ଦେଖିବାର ଥିଲା ଆଶ,

ଆଜି ଶୁଣୁଅଛି କାନ୍ତକବି ହେ

ତେଜିବ ମର୍ତ୍ତ୍ୟବାସ ।

ସେଦିନ ସେଇ ଯେ ବିଦାୟ ଆଣିଲି

ସେଇ ମୋର ଶେଷ ଦେଖା,

ଚିତ୍ତ-ଗହନେ ଦୀପ୍ତ ଲିପିରେ

ହୋଇ ଯାଇଅଛି ଲେଖା ।

 

ପ୍ରଥମ ଯେଦିନ ଦେଖିଲି ତୁମକୁ

ନିର୍ମିମେଷ ମୋ ଲକ୍ଷ୍ୟ,

ସକୁରଣ ତୁମ ରୁଗ୍‍ଣ ଶରୀର

ନିପୀଡ଼ିତ ତୁମ ବକ୍ଷ ।

 

ମାତ୍ର ଅଧରେ ଲାଗି ରହିଥିଲା

ଅତୁଟ ସେଇ ଯେ ହସ

ଦଗ୍‍ଧ ମରୁରେ ଝରଣା ପରାଏ

ସେ ତୁମ ହାସ୍ୟରସ ।

 

କଟକରେ ତୁମ ବନ୍ଧୁ-ନିବାସେ

ଯେଦିନ ତୁମରି ଲାଗି

ବିରଳ ସେ ଏକ ସାନ୍ଧ୍ୟ ମିଳନ

ଉଠିଥିଲା ସଂଜାଗି ।

ମୁଷ୍ଟିମେୟ ସେ ଶିଳ୍ପୀ ଗାୟକ

କବି କଲାବିତ ଦଳେ

ପ୍ରଥମେ ତୁମକୁ ଦେଖିଥିଲି କବି

ମୋର ଏଇ ଜୀବନରେ ।

ଅଭିଶପ୍ତ ହେ ଲକ୍ଷ୍ମୀକାନ୍ତ

କାନ୍ତକବି ତ ଥିଲ,

ଭାରତୀ-ସେବାର ପ୍ରତ୍ୟୁଷ ତୁମେ

ଦେଖିଥିଲ ରଶ୍ମିଳ ।

କଥା-କବିତାରେ ହାସ୍ୟରସରେ

ତୋଳିଥିଲ ଭୈରବୀ,

ମନ୍ଦକ୍ରାନ୍ତା ଛନ୍ଦ ଧାରାରେ

ଅକାଳରେ ଗଲା ଦ୍ରବି ।

‘‘ନିଜ ଗୀତ ନିଜ ସୁର୍ ରେ ଶୁଣାଅ’’

ସଭାରୁ ଉଠିଲା ଅଳି,

ବିଧୁର ପ୍ରାଣର ସ୍ପନ୍ଦ ତୋଳିଲ

ଛନ୍ଦ ମଧୁର କରି ।

ସୁର୍‍ ସାଧନାରେ ଦେଲ ଯେ ପୂରବୀ

ବେଦନାରେ ଭରପୂର

କାତର ମଧୁର କାକଳି ଯେସନ

ପପିହା ପଖୀର ସ୍ୱର ।

 

ତହିଁ ଆର ଦିନ ‘ଡଗରନିଳୟେ’

ଉପଗତ ହେଲି ଯାଇଁ,

ସ୍ନେହ ଜଣାଇଲ କାନ୍ତକବି ହେ

ମୋର ସାକ୍ଷାତ ପାଇ ।

‘‘ପ୍ରାଣଗ୍ରାହୀ ଆଉ ତୁମେ ସାଥି ହୋଇ

ଯାଇଥିଲ ତହିଁ କାଲି,

ସଭା ସରୁ ସରୁ ସାଥି ହୋଇ ପୁଣି

ଦୁହେଁଯାକ ଗଲ ଚାଲି ।’’

ମୁଁ ତହୁଁ କହିଲି ‘‘ନନ୍ଦିନୀ ପରା

ପଡ଼ିଚି ବସନ୍ତରେ,

ଔଷଧ ନେଇ ଫେରିବାର ଥିଲା

ଫେରିଗଲୁଁ ତରତରେ ।’’

‘‘ନନ୍ଦିନୀ ତେବେ କେଉଁ ପରି ଅଛି ?’’

ଖବର ଚାହିଲ କବି,

ଉତ୍ତର ଦେଲି, ‘‘ଖବର ପାଇଚି

ଭଲଅଛି ଟିକେ ଅବି ।’’

 

‘‘ପାଣିଗ୍ରାହୀର ସେ ସ୍ୱପ୍ନପୁରୀ ତ

ଏଇଠି ଏ ପିଠାପୁରେ,

ଉଚ୍ଚ କୋଟିର ଶକ୍ତି ତାହାର

କଥା କଳା ମହଲରେ ।

ନିରୋଳାରେ ଏଠି ତା ସାଥେ ଟିକିଏ

ହୋଇଥାନ୍ତା କି ଦେଖା ?

ଅଭିଶପ୍ତ ମୁଁ ଆଶାରେ ଚାହୁଚି

ବିଡ଼ମ୍ୱନାର ଲେଖା...’’

 

‘‘ନା-ନା-ଏଥି ବିଡମ୍ୱନାର

କିଛି ନାହିଁ, କିଛି ନାହିଁ,

ଏଠି ଆସିବାକୁ କାଲି ପରା ମତେ

କହୁଥିଲେ ପାଣିଗ୍ରାହୀ ।

ଆସି ପାରିଲେନି କେମିତି ମୁଁ ତେବେ

କହିଯିବି ଗଲାବେଳେ ।’’

ଆବେଗେ କହିଲ ‘‘ମୁଁ କହିଚି ବୋଲି

କହିଯିବ ତା’ ହେଲେ ।’’

‘ତୁମର କବିତା ଭଲ ଲାଗେ ମତେ

ମତେ ଭାରି ଭଲ ଲାଗେ ।’’

ଦୁଃସହ ତୁମ ଅଭିନନ୍ଦନ

ଶୁଣାଇଲ ମୋର ଆଗେ ।

‘‘ପଲ୍ଲବଗ୍ରାହୀ ତରୁଣ ଦଳରେ

ତୁମେ ବଡ଼ ଅବଗାହୀ,

ବେଳେ ବେଳେ ତୁମ ଆଲୋଚନା ପଢ଼ି

ପରିଚୟ ଅଛି ପାଇ ।

 

ହସ ମାଡ଼େ ମତେ ଏ ବୟସେ ତୁମେ

କାହିଁକି ପଢ଼ୁଚ ପାଠ,

ପାଠ୍ୟ କିତାବ ଜଙ୍ଗଲେ ପଶି

କାହିଁକି ଭୁଲୁଚ ବାଟ ?

ଲେଖାଲେଖି ତୁମେ ଛାଡ଼ିଦିଅ ନାହିଁ,

ଦୁଃସ୍ଥ ଏ ଦେଶଭାଗେ,

ଡିଗ୍ରୀ ତୁମର କି ହେବ କହିଲ

ତୁମର କବିତା ଆଗେ ?’’

ଉଦ୍‌ବୋଧନର ସତ୍ତା ପାଇ ମୁଁ

ତୁମର ସେ ଉତ୍‍ସାହେ

ଜଣାଇଲି ‘‘ଆଜି ପ୍ରବୀଣ ପାଖରୁ

ନବୀନ ଆଶିଷ ଚାହେ ।’’

‘‘ତୁମେ ତ ଦେଶର ତରୁଣ ଯୁବକ

ଦେଶର ଭବିଷ୍ୟତ,

କରୁଣ ମୁଁ ଆଜି ଆଶିଷ ଦେବି

ନିତ୍ୟ ସମରାହତ ?’’

 

ଦୁଇଟି ଦିନରେ ମୋର ଜୀବନରେ

ସେଇ ଦୁଇ ଥର ଦେଖା,

ମୋର ଏ ସ୍ମୃତିରେ ଦୀପ୍ତ ଲିପିରେ

ହୋଇ ଯାଇଅଛି ଲେଖା ।

ଜୀବନ-ଭାଗରେ ନୟନ-ଆଗରେ

ଆଉ କି ଉଠିବ ଦୀପି ?

ତୃୀୟ ଥରକୁ ଦେଖୁଚି ମୁଁ ଆଜି

ସ୍ମୃତିର ପାଣ୍ଡୁଲିପି ।

Image

 

ଜାଗ ଆଜି ବର୍ମା

 

ଦିଲ୍ଲୀରୁ ଆସିଚି ଆଜି ତୁମ ପାଇଁ ଶୁଭ ସମାଚାର

ଭସ୍ମ-ଆବରଣ ତଳୁଁ ଜାଗ ବର୍ମା, ଜାଗ କଳାକର ।

ତରବର ହୋଇ ସିନା ମରିଗଲ ହେ ନିର୍ବୋଧ ଭୀରୁ,

ପୃଷ୍ଠ ଭଙ୍ଗ ଦେଇ ହାୟ ଖସିଗଲ ଜୀବନ ଶିବିରୁ ।

ଏବେ ଦେଖ ତୁମ ପାଇଁ ଏବେ ଦେଖ ଦେଶ-ସରକାର

ବୃତ୍ତି ଏକ ଖଞ୍ଜି ଦେଲେ ପୁରସ୍କାର ତୁମ ପ୍ରତିଭାର ।

ଘରେ ବସି ନିଅ ଏବେ ଦର୍ମା,

ଭସ୍ମ-ଆବରଣ ତଳୁଁ ଜାଗ ବନ୍ଧୁ, ଜାଗ ଆଜି ବର୍ମା ।

ତୁମରି ସକାଶେ ଦିନେ ତିନି ଜଣ ଯାଇଥିଲୁଁ ଆମେ,

ସରକାର ନିକଟକୁ ଏ ଦେଶର ମୁଖ୍ୟମନ୍ତ୍ରୀ-ଧାମେ ।

କଥା ପାଇ ଯାଇଥିଲୁଁ, କଥା ହେବା କଥା ଥାଉ ଦୂରେ

ଦରଶନ ମିଳିଲା ନ ଚାହିଁ ଚାହିଁ ସୌଧକକ୍ଷ-ପୁରେ ।

ବିଳମ୍ୱ ହେବାର ଦେଖି ମାନସିଂହ ହୋଇଗଲେ ବିଷନ୍ନ,

‘‘ଦେଖା ଯାଉ କି ହେଉଚି ?’’ ଶୁଣାଇଲେ କାଳିନ୍ଦୀଚରଣ ।

 

ମୁଁ କହିଲି, ‘‘ଆଉ ଟିକେ ଯାଉ ।’

ସାତଟାର ଘଣ୍ଟା କଣ୍ଟା ବାରଟାକୁ ଛ’ମିନିଟ୍‍ ଆଉ ।’’

 

ଭିତରୁ ଆସିଲା ବାର୍ତ୍ତା, ‘‘ଆଜି ଆଉ ହେବ ନାହିଁ ଦେଖା

ବିଚାର ହୋଇବ ପରେ ମିଳିତ ତ ଆବେଦନ-ଲେଖା ।’’

କିଞ୍ଚିତ ଆଶ୍ୱାସେ

ମାନେ ମାନେ ଆମେମାନେ ବାହୁଡ଼ିଲୁ ଯେ ଯାହାର ବାସେ ।

କିଛି ଦିନ ପରେ

ତୁମେ ଆସି ଦେଖା ଦେଲ ମୋ ପାଖରେ ମୋର ବସାଘରେ ।

ପଚାରିଲ, ‘‘କି ହେଲା ଯେ, ଜାଣିଲିନି ସଠିକ ଖବର’’

ଆଶାର ପ୍ରଲେପ ଦେଇ ଦେଲି ତୁମ ପ୍ରଶ୍ନର ଉତ୍ତର ।

‘‘ବନ୍ଧୁ ଏବେ ନୁହ ଆଶାହୀନ,

ତୁମ ଆବେଦନ ଏବେ ସରକାରେ ବିଚାର-ଅଧୀନ ।’’

ଅଶ୍ୱସ୍ତିରେ ଶୁଣାଇଲ, ମୋହର ତ ସୁକୃତ ସରିଚି,

‘‘ମୁଁ ଜାଣୁଚି ତୁମେମାନେ ମୋ ସକାଶେ କରିବ ନି କିଛି ।’’

 

‘‘ଆମେମାନେ କି କରିବୁ ? ଯେ କରିବ ସେ ତ ସରକାର

ତୁମପାଇଁ ଲାଗିବାକୁ ଆମେମାନେ ରହିଚୁ ତିଆର ।’’

‘‘ଭଡ଼ା ଦେଇ ପାରିଲିନି ଛାଡ଼ି ଦେଲି କଟକର ବସା

ଅଭାବର ତାଡ଼ନାରେ ହେଉଅଛି ନିତି ଲୋକହସା ।

ପଳେ ପଳେ ମରୁ ଅଛି । ଆଜି ମୁହଁ ଦୁନିଆ-ବାହାର

ମୁଁ ଉଁ ମରିଗଲା ପରେ ମୋ କଥାର ହେବ କି ବିଚାର ?’’

 

ତୁମ କଥା ସତ ହେଲା ଭାଇ

ମାସ ଗଲା, ବର୍ଷ ଗଲା ତୁମ କଥା କିଛି ହେଲା ନାହିଁ ।

ଆଉଦିନେ ଅକସ୍ମାତ ଝଡ଼ପରି ପହଞ୍ଚିଲ ଆସି

‘‘କେମିତି ବଞ୍ଚିବି ମୁହିଁ ଅଭାବ ତ ପକାଉଛି ଗ୍ରାସି ।

ଯୁକ୍ତି ତର୍କ ରଖିଦିଅ, ଏଇ ମୋର ଅନୁରୋଧ କବି,

ବିକରି କରାଇ ଦିଅ ଏଇ ମୋର କେତେ ଖଣ୍ଡ ଛବି ।’’

 

ପ୍ରତିବାଦ କଲି ନାହିଁ, ‘‘କି ହେଉଚି ଚେଷ୍ଟା କରି ଦେଖେ’’

ବୁଝାବୁଝି କଲି ପରେ କିଣିବାକୁ ଚାହିଲେ ଅନେକେ ।

ଶେଷେ କିନ୍ତୁ ମନା କଲେ.......ବ୍ୟଥିତ ଅନ୍ତରେ

ତୁମ ପାଶେ ସେ ଉଦନ୍ତ ଲେଖି ଦେଲି ଏକଇ ପତ୍ରରେ ।

‘‘କଲା ଏବେ ହେଲାଣି କାଳିମା,

କଳା ବଜାରରେ କେହି ବୁଝୁଚି କି କଳାର ମହିମା ?’’

ରୋଗର ବଢ଼ିଲା ଜ୍ୱାଳା, ତ୍ରୀବ ହେଲା ଅଭାବର ଦାଉ

ହେ ରୁଗ୍‍ଣ ହେ ଦୁଃସ୍ଥ ବନ୍ଧୁ ସମାଳନ୍ତ କେତେ ଅବା କାହୁଁ ?

ଘୂରିଲ ଉଦ୍‍ଭ୍ରାନ୍ତ ପରି ସମ୍ଭ୍ରାନ୍ତ ଏ କଟକର ପଥେ

ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡେ ସମୁଦ୍ରର ବାଲି-ସଇକତେ ।

ଭେଟିଲ ବହୁତ ବନ୍ଧୁ, ବହୁ ଦ୍ୱାର ଗଳିରେ କନ୍ଦିରେ

ଘୂରିଲ ହେ ଅଭିଶପ୍ତ ବହୁ ବହୁ ଚିକିତ୍ସା-ମନ୍ଦିରେ ।

କେଉଁ ବନ୍ଧୁ ଦେଲେ କିବା, କେଉଁ ମନ୍ତ୍ରୀ ଦେଲେ ଅବା କେତେ

ଶୁଣାଇଲେ, ‘‘ତୁମ କଥା, ଯାଉଅଛି ଦିଲ୍ଲୀର ନିକେତେ ।’’

ସେତେବେଳେ ଅବସ୍ଥା ତ ହୋଇଥିଲା ତପ୍ତ ବୈତରଣୀ

ମିଳିବାର ସାଙ୍ଗେ ସାଙ୍ଗେ ଶୋଷି ହୋଇଗଲା ସେଇକ୍ଷଣି ।

ସମ୍ଭ୍ରାନ୍ତ ସହର-ବାସ ଖୋଜର ତ ଟଙ୍କା ଖାଲି ଟଙ୍କା,

ବୁଲି ବୁଲି ଆହେ ବନ୍ଧୁ ଅବଶେଷେ ହୋଇଗଲ ଥକା ।

ସଭ୍ୟ ଏ ସହର ଛାଡ଼ି ସର୍ବ ଶେଷେ ବିରୂପାର କୂଳେ

ହେ ମୁମୂର୍ଷୁ ଫେରିଗଲ ପ୍ରିୟତମ ତୁମ କୁସୁପୁରେ ।

ଜ୍ଞାତି-ଭାଇ-ଭଗିନୀ-ମେଳରେ,

ଆଜି ବୁଜିଦେଲ ସେ’ଠି ନାଗରିକ ଆଖି ଉଢ଼ାଳରେ ।

 

ତୁମ ମୃତ୍ୟୁପରେ ଆଜି, ଆହେ ବନ୍ଧୁ ତୁମ ମୃତ୍ୟୁପରେ

ତୁମରି କଳାର ମୂଲ୍ୟ ସରକାର ବୁଝିଲେ ଅନ୍ତରେ ।

ସେଦିନ ତ...ସେଦିନ ତ...ସଜଳ ନୟନେ

ଫେରିଥିଲ ନିଜ ଗୃହେ, ଫେରିଥିଲ ଆପଣା ଅୟନେ ।

ସେଦିନ ମୁଁ କହିଥିଲି ତୁମ ଆଗେ ହତାଶାର ବାଣୀ,

ଆଜି କିନ୍ତୁ ଶୁଣାଉଚି ତୁମ ପାଇଁ ମଙ୍ଗଳ ଆହ୍ୱାନୀ,

ତୁମପାଇଁ ଶୁଭ ସମାଚାର

ଭସ୍ମ-ଆବରଣ ତଳୁ ଜାଗ ବର୍ଗା, ଜାଗ କଳାକାର ।

Image

 

ଚାଲି ଗଲ କିଆଁ ପଦ୍ମଚରଣ ?

 

ପଦ୍ମପାଖୁଡ଼ା, ଗୋଲାପଗୁଚ୍ଛ

ଧରିଚି ତ ଶିରୀ ବଇଭବ,

ଚାଲି ଗଲ କିଆଁ ପଦ୍ମଚରଣ

ମୋ ଦେଶ-ବାଣୀର ଗଉରବ ?

ତୁମ ପ୍ରଶ୍ନର ଉତ୍ତର ଦେଇ

ଧଉଳି ପାହାଡ଼ କହୁଅଛି ଏଇ,

ଧଉଳିର ମାଟି ଜାଗିଲାଣି ପରା

ଶୁଭୁଅଛି ଏଇ କଳରବ

ଚାଲିଗଲ କିଆଁ ପଦ୍ମଚରଣ,

ମୋ ଦେଶ-ବାଣୀର ଗଉରବ ?

 

 

ଅନ୍ତରେ ତୁମେ ବୁଝିଥିଲ କବି

ଭାରତୀ ସେବାର ଅବଦାନ,

ଭଲ କରି ତୁମେ ବୁଝି ପାରିଥିଲ

ମାନିନୀ ବୀଣାର ଅଭିମାନ ।

 

ଲଳିତ କାବ୍ୟ କବିତା ବିତାନେ

ମଜି ରହିଥିଲ ସ୍ନିଗ୍‍ଧ ସୂତାନେ,

ଜୀବନର ପଥେ ଭୁଲି ଯାଇଥିଲ

ଜୀବିକାର ରୂଢ଼ ଅଭିଯାନ,

ଭଲ କରି ତୁମେ ବୁଝି ପାରିଥିଲ

ମାନିନୀ ବୀଣାର ଅଭିମାନ ।

 

 

ଦୈନ୍ୟର ଭରା ସୈନ୍ୟ ଜୁଆର

ଦୁଆରରେ ଦେଖି ଦୈନିକ

ଅସ୍ତ୍ର ହାତରେ ଲଢ଼ିବା ପାଇଁ କି

ହୋଇ ପାରିଲିନି ନିର୍ଭୀକ ।

 

ପୃଥ୍ୱୀରାଜର ପତ୍ର ପଠାଇ

ପ୍ରତାପ ସିଂହେ ସମରେ ଉଠାଇ

ଦିଲ୍ଲୀ ଦୁଆରେ ସନ୍ଧି ଚାହିଲ

ଭିକ୍ଷା ଚାହିଲ ସୈନିକ;

ଦୈନ୍ୟର ଭରା ସୈନ୍ୟ ଜୁଆର

ଦୁଆରରେ ଦେଖି ଦୈନିକ ।

 

 

ଲାଞ୍ଛନା-ଭରା ଯାଚନାର ଦାନେ

ପ୍ରାଣର ଶାନ୍ତି ପାଇଲନି,

ସନ୍ଧିର ସେଇ ଫନ୍ଦରେ କବି

ବନ୍ଦୀ ହେବାକୁ ଚାହିଲନି ।

ମୃତ୍ୟୁର ସେଇ ସଂହାର-ପଥେ

ମୁକ୍ତିର ଆଶା ଦେଖିଲ କି ସତେ !

 

ସ୍ୱାର୍ଥ-କାତର ଜଗତର କୋଳେ

ଶାନ୍ତିର କବି ରହିଲନି,

ଲାଞ୍ଛନା-ଭରା ଯାଚନାର ଦାନେ

ପ୍ରାଣର ଶାନ୍ତି ପାଇଲନି ।

 

 

ଦିଲ୍ଲୀର ପାରେ ପୃଥ୍ୱୀର ପାରେ

ଚାଲିଗଲ କବି ବହୁ ଦୂରେ,

ଦୈନ୍ୟର ଘୋର ଯନ୍ତ୍ରଣା ନାହିଁ,

ଜଞ୍ଜାଳ ନାହିଁ ଯେଉଁ ପୁରେ ।

 

ପଛଆଡ଼ୁ ଆମେ ଛାଡ଼ୁଅଛୁ ଡାକ,

‘‘କାହିଁ ଚାଲିଯାଅ ଆହେ ଚାରୁବାକ ।’’

 

ତୁମ ପାଇଁ ଭଲା କି କରିଚୁ ଆମେ

ବାହୁଡ଼ିଥା’ନ୍ତ ଆମ କୁଳେ ?

ଦିଲ୍ଲୀର ପାରେ ପୃଥ୍ୱୀର ପାରେ

ଚାଲିଗଲ ତୁମେ ବହୁ ଦୂରେ ।

 

 

ସ୍ୱର୍ଗଦୁଆରେ ଶୁଭିଅଛି ଏଇ

ଜଳଧିର କଳ ଓଁ କାର,

ଝାଉଁବନ ତଳୁ ବାଜୁଅଛି ତୁମ

ମେଲାଣି ଗୀତର ଝଂକାର ।

 

ଯାଅ ଆଜି କବି ଶୂନ୍ୟପଥରେ

ଚିତା ଭସ୍ମର ଧୂମ୍ର ରଥରେ,

 

ଊର୍ଦ୍ଧ୍ୱରେ ଅୟନେ ସଜଳ ନୟନେ

ଝୁରୁଅଛି ତୁମ ସଂସାର,

ଝାଉଁବନ ତଳୁ ବାଜୁଅଛି ତୁମ

ମେଲାଣି ଗୀତର ଝଂକାର

Image

 

ହେ ମୋର ଜାତୀୟ ବୀର

 

କଂଗ୍ରେସୀ ଥିଲ କଂଗ୍ରେସ ଛାଡ଼ି

ହୋଇଥିଲ ଦିନେ ମନ୍ତ୍ରୀ,

ସ୍ୱାଧୀନତନ୍ତ୍ରୀ ହୋଇଥିଲ ପୁଣି

ଶେଷେ ହେଲ ଗଣତନ୍ତ୍ରୀ ।

ସଂଗ୍ରାମଭରା ଜୀବନର ଭୂମେ

ଯେତେ ବାଦୀ ହେଲେ ହୋଇ ଥାଅ ତୁମେ,

ସେ ଲାଗି ଦୁଃଖ ନାହିଁ,

ତୁମେ ଲଢ଼ୁଥିଲ

ଓଡ଼ିଶା ମୁଲକ

ଓଡ଼ିଆ ଜାତିର ପାଇଁ ।

 

 

ଓଡ଼ଶାର ଆମ ମୌଳିକ ଦାବି

ଗଲା ସତେ ଏବେ ଗଲା,

ଚାଲିଗଲା ଜାଣି ଆମ ଖରସୁଆଁ,

ଆମ ଏ ଷଢ଼େଇକଳା !

ଯୁଗଟିଏ ତୁମେ ହେ ଗୋଦାବରୀଶ,

ଯାଯାବର ପରି ବୁଲି ଦିଶ ଦିଶ,

ରହିଥିଲ ତାର କୋଳେ,

ଦେଖିଥିଲ ତାର

ବିଲ-ବନ-ଶୋହା

ସେନେହ-ସୋହାଗ-ଡୋଳେ ।

 

 

ଓଡ଼ିଆ ଜାତିର ଦୁର୍ଗତି ଦେଖି

ସଁଯୋଇ ନଦୀର କୂଳେ,

କେତେ କଳପନା ଲେଖି ରଖିଥିଲ

ଗୋପନ ହୃଦୟ-ପୁରେ ।

ଲୁହ ଦେଇଥିଇ, ଲହୁ ଦେଇଥିଲ,

ସାଧନାର ପଥ ବରି ନେଇଥିଲ

ବୁଲି ବୁଲି ସାଇ ସାଇ,

ଗତ ବଇଭବ

ହତ ଗଉରବ

ଫେରାଇ ଆଣିବା ପାଇଁ ।

 

 

ହତବାକ୍‍ ସେଇ ପ୍ରବାସୀ ଭାଇର

ମୁଖେ ଦେଇଥିଲ ଭାଷା,

ଭଗନ ବୁକୁରେ ଆଣି ଦେଇଥିଲ

ଗଗନଚୁମ୍ୱୀ ଆଶା ।

ଆଜି ଏ ଆମର ସ୍ୱାଧୀନ ଦେଶରେ

ନୟନେ ଦେଖିଲ କି ହେଲା ଶେଷରେ !

ସାଧନା କି ହେଲା ଆହା,

ବେଙ୍ଗ ପଣିଆ—

ସୁନୀଳ-ଲୁହରେ

ମିଳିଲା ନାହିଁ ବି ତାହା !

 

 

ତୁମରି ଆଖିରେ ଓଡ଼ିଶା ଆମର

ଉଠୁଥିଲା ଗଉରବି,

ଓଡ଼ିଶା ମାଟିର ସନମାନ ସ୍ମରି

ତୁମେ ହୋଇଥିଲ କବି ।

ଓଡ଼ିଶା ଦେଶରେ ଆଶାର ଭୂମିକା

ତୁମେ ଦେଖିଥିଲ ଲଳିତ କଳିକା,

କମନୀୟ କିସଳୟ,

ତୁମେ ଦେଖିଥିଲ

ଓଡ଼ିଶାର ଦିନ

ନବ ଗଉରବମୟ

 

 

ତୁମେ ଦେଖିଥିଲ ଜନମ ଭୂଇଁର

ସେଦିନର ଲଲାଟିକା

ବର୍ଣ୍ଣ-ବିଭବେ ଲେଖିଥିଲ ପୁଣି

ଉଜ୍ଜ୍ୱଳ ଆଲେଖିକା ।

ଗଙ୍ଗାର କୂଳେ ତ୍ରିବେଣୀ-ବିଜୟୀ

କି କଥା ଦର୍ପେ ଯାଇଥିଲେ କହି,

‘ରଂଜିତ ଅସି ଧାରେ’

କାଞ୍ଚିବିଜେତା

କିବା ଲେଖିଥିଲେ

‘ଜନ୍ମଭୂମିର ଭାଲେ ।’

 

 

ସାଇ ଗଉରବ-ସଙ୍ଗୀତ ତୁମେ

ବିପୁଳ କଣ୍ଠେ ଗାଇ

ନବ ଆହ୍ୱାନୀ ରଚିଥିଲ କବି

ନବୀନ ସୂର୍ଯ୍ୟ ପାଇଁ ।

ତୁଙ୍ଗ ଶିଖରୀ, ପୁଣ୍ୟ ଜଳଧି

ଏଇ ଓଡ଼ିଶାର ବନଗିରି ନଦୀ

କନକ ରଶ୍ମି ମାଖି

ନବୀନ ଜୀବନେ

ନବ ଜାଗରଣେ

କେମିତି ମେଲିବେ ଆଖି ।

 

 

ବିଦେଶୀ ଶାସନେ ଏ ଦେଶରେ ଯେବେ

ଗଢ଼ି ହେଉଥିଲେ ଦାସ,

ତୁମେ ଦେଖୁଥିଲ ଦେଶ ମୁକ୍ତିର

ଦୀପ୍ତ ସତେଜ ଆଶ ।

ସିଂହଭୂମିରେ, ସତ୍ୟବାଦୀରେ

ତୁମେ ଲାଗିଥିଲ ଆକୁଳେ ଅଧୀରେ

ତରୁଣ ଜୀବନ ପାଇଁ

ମୁକ୍ତି-ବାହିନୀ

ଗଢ଼ୁଥିଲ ତୁମେ

ଅଭୀକ ଅଗ୍ରଯାୟୀ ।

 

 

ଦେଶ ସିନା ଆଜି ସ୍ୱାଧୀନ ହୋଇଚି

ମୁକ୍ତ ହୋଇଚି ଜାତି,

ଦିଶି ଦିଶି କାହିଁ ଝଳି ଉଠୁନାହିଁ

ଜୀବନର ନବ ଭାତି ।

ଗଗନେ ପବନେ ପ୍ରାଣ-ଝଂକୃତି

ନବ ତାନେ କାହିଁ ଉଠୁନାହିଁ ଫୁଟି;

ସବୁ ତ ରହିଚି ବାକି,

ଜାଣି ଜାଣି ସବୁ

କେଉଁ ପରି କହ,

ବୁଜିଦେଲ ଆଜି ଆଖି !

 

୧୦

 

ଆଖି ବୁଜି ନାହଁ ମହାପାତ୍ରୀ ହେ

ଯାଇ ନାହଁ ତୁମେ ଚାଲି,

ତୁମେ ଯାଇଅଛ ନବ ଶକତିରେ

ଫେରିବା ପାଇଁକି କାଲି

ସତ୍ୟବାଦୀର ବକୁଳ ବନରେ

ମଗ୍ନ ହେଲ କି ନବ ସାଧନରେ ?

ହେ ମୋର ଜାତୀୟ ବୀର

ତବ ଉଦ୍ଦେଶେ

ସୈନିକ ମୁହିଁ,

ଅବନତ କରେ ଶିର ।

Image

 

ସତ୍ୟ ଓ ଶକ୍ତି

 

‘‘କୁହ ଏବେ କି ଅଛି ଏ କଳସ ଭିତରେ ?’’

ଉତ୍କଳର ଗଜପତି ପଚାରିଲେ ଉତ୍ସୁକ ଅନ୍ତରେ,

‘‘ହେ ଶ୍ରମଣ,

ହେ ବ୍ରାହ୍ମଣ,

ଏଇ ଆମ ମୀମାଂସାର ମର୍ମ,

ସତ୍ୟ ହେବ ଯାର କଥା

ତାର ଜୟ,

ତାର ଧର୍ମ ହେବ ରାଜଧର୍ମ ।’’

ଶ୍ରମଣ କହିଲେ, ‘‘ସର୍ପ’’

ବ୍ରାହ୍ମଣ କହିଲେ, ‘‘ଭସ୍ମ’’

ମୁହୂର୍ତ୍ତକ ପରେ......

କଳସଟି ଖୋଲା ହେଲା ଉଦ୍‌ବେଳ ସେ ଜନତା ଆଗରେ !

ଭସ୍ମା......ଭସ୍ମ ମୁଠାଟିଏ

ଦେଖିଲେ ସକଳେ ।

ବ୍ରାହ୍ମଣର ଜୟ ହେଲା

ଶୁଣାଇଲେ ଉତ୍କଳର ରାଜା,

ସଦର୍ପେ ଉଠିଲା ବାଜି

ବ୍ରାହ୍ମଣର ଜୟ ଜୟ ବାଜା ।

 

ମ୍ରିୟମାଣ ବୌଦ୍ଧ ଭିକ୍ଷୁ ବୋଇଲେ, ‘‘ରାଜନ,

ବ୍ରାହ୍ମଣ ତ ହେଲେ ଏବେ ଜୟର ଭାଜନ,

ନିଖିଳ ଏ ଜନତାର ଆଗେ

ମାତ୍ର ଏବେ ହୃଦୟେ ଯେ ଜାଗେ

ଗୋଟିଏ ଆମର ପ୍ରଶ୍ନ

ଘେନିବ କି ବାରେ ?

ଖୋଲି କରି କହିବ କି ତୁମ୍ଭର ଏ ଧର୍ମ-ଦରବାରେ ?

କି ଥିଲା ସେ କଳସ ଭିତରେ,

ସର୍ପ ଅବା ଭସ୍ମ ?

ତୁମେ ଏକା ଜାଣ ତାହା ଅନ୍ତରେ ଅନ୍ତରେ ।

 

ସତ୍ୟର ପୂଜାରୀ ଆମେ,

ପରାଜିତ ଆମେ ନିରୁପାୟ,

ସେଇ ସତ୍ୟଟିକ ନେଇ ଏବେ ଏଥୁ

ଘେନିବୁ ବିଦାୟ ।

ନୃପତି ଉତ୍ତର ଦେଲେ ଛାୟା-ଘନ ସ୍ୱରେ

‘‘ଯାହା ଏବେ ଦେଖା ହେଲା;

ତାଇ ଥିଲା

କଳସ ଭିତରେ ।’’

 

ବୌଦ୍ଧ ଭିକ୍ଷୁ ଦୁଇ ଜଣ ପୃଷ୍ଠ ଭଙ୍ଗ ଦେଇ

ଆପଣାର ପଥ ଧରି ଚାଲି ଗଲେ

ଦେଖ, ଦେଖ, ଏଇ ।

 

ବିଜୟର ଦୀପ୍ତି ଘେନି ଉତ୍‍ଫୁଲ୍ଲ ଲଲାଟେ

ଦରବାର କମ୍ପାଇଲେ ସ୍ତୁତିମନ୍ତ୍ରପାଠେ

ବିପ୍ରଗଣ ।

ଗଜପତି ଶୁଣାଇଲେ,

‘‘ସ୍ୱାଗତ ହେ ଅଜେୟ ବ୍ରାହ୍ମଣ,

ସର୍ପ ରଖା ହୋଇଥିଲା କଳସ ଭିତରେ

ଭସ୍ମ ତାହା ହେଲା କେଉଁପରି ?

ଆଶ୍ଚର୍ଯ୍ୟ ଲାଗୁଚି ମତେ

ସନ୍ଦେହ ମୋ ଦିଅ ଦୂର କରି ।’’

 

ଅଯୁତ ସଂଯୁତ କଣ୍ଠ ଉଠିଲା ଝଙ୍କାରି

‘‘ମନ୍ତ୍ରଶକ୍ତି,

ମନ୍ତ୍ରଶକ୍ତି ବଳେ ରାଜା,

ବ୍ରାହ୍ମଣ ଯେ ବ୍ରହ୍ମତେଜଧାରୀ ।

ସତ୍ୟ କେବେ ତିଷ୍ଠି ପାରେ

ଆମର ଏ ଶକ୍ତିର ଦହନେ ?

ସତ୍ୟ, ଏଇ ଭସ୍ମ ହୁଏ

ଆମର ଏ ଶିଖାଗ୍ନିର ଗୋଟିଏ ଲେହନେ ।’’

ଅନ୍ତରେ ସଂତ୍ରାସ ଭରି ବୋଇଲେ ନୃପତି,

‘‘କି ହେବ ମୋହର ସତ୍ୟ ?

ଚାହେ ମୁହିଁ ଶକ୍ତି ।

ଶ୍ଳାଘ୍ୟ ଆଜି ତୁମର ଏ ଜୟ,

ଶକ୍ତିର ଏ ଧର୍ମେ ମୋର

ରାଜଧର୍ମ ଦୁର୍ମଦ ଦୁର୍ଜୟ ।’’

Image

 

କଳଙ୍କିତ ମୁହିଁ କଳାକର !!!

 

ଏକ ପକ୍ଷ ମରୁପରି ମରୁଥିଲି

ଧ୍ୱାନ୍ତ-ମ୍ରିୟମାଣ

ଏକ ପକ୍ଷ ଉଲ୍ଲାସରେ ହସୁଥିଲି

ମୁକ୍ତ କରି ଉଦ୍ଦେଳ ମୋ ପ୍ରାଣ ।

ମାସ ମାସ, ବର୍ଷ ବର୍ଷ

ଅନ୍ଧକାର, ଚନ୍ଦ୍ରିକାର

କୁହୁ, ରାକା, ସିନିବାଳୀ-ପଥେ

ରଚୁଥିଲି ଅଭିଯାନ

ମୋର ମନୋରଥେ ।

 

କେବେ ଅବା ପଡ଼ି ଗ୍ରହ-ଗ୍ରାସେ

ମୁକ୍ତି ପୁଣି ପାଇ ତହୁଁ

ଫେରୁଥିଲି ନୂତନ ବିକାଶେ

ଉଜ୍ଜ୍ୱଳ ସୁନ୍ଦର,

ନିରଞ୍ଜନ ମୁହିଁ କଳାକାର ।

ଦିଶି ଦିଶି କ୍ରନ୍ଦସୀର ମୁଖେ

ଜୀବନର ନିତ୍ୟ ନବ ଉଚ୍ଛଳ ଆସବ

ଭରୁଥିଲି ଅତୁଳ ଉତ୍ସୁକେ ।

ଏକ ବର୍ଷ ଜୀବନ ମୋ ସଁପି ଦେଲି

ଜୀବିକାର ଦୁର୍ବିଷହ ବନ୍ଧେ,

ବିସ୍ମୟର ବିଡ଼ମ୍ୱିତ ଛନ୍ଦେ;

ଜାଣେ ନାହିଁ

କିଏ ସିଏ ମତେ ଚାହିଁ

ମତେ ଭାବି ଫେନାୟିତ ପାନର ଚଷକ

ନିଜ ଦୋଷେ

ଅସଂତୋଷେ

ପିଆସାରେ ମଲା କେଉଁ ବିଭ୍ରାନ୍ତ ଶଶକ

ଜାଣେ ନାହିଁ....

ପ୍ରେତାତ୍ମାର ତାର କଳା ଛାଇ

କେଉଁ ପରି ପଡ଼ିଲା ମୋ ବୁକେ ?

କଳଙ୍କ ହୋଇ ତା ପୁଣି ଲାଗିଲା ମୋ ମୁଖେ ।

ସେଥିପାଇଁ

କିଏ ଆଜି ଦାୟୀ ?

ଆଗ୍ନେୟ ଜିଜ୍ଞାସା ଏକ

ଦଗ୍‍ଧ ଏବେ କରୁଚି ଅନ୍ତର ।

କଳଙ୍କିତ ମୁହିଁ କଳାକାର !!!

Image

 

ବନ୍ଦନା ଲାଗି ଜଳୁଜି ଦୀପାଳି ଜଳୁଚି କାହିଁ ?

 

ବନ୍ଦନା ଲାଗି ଜଳୁଚି ଦୀପାଳି

ଜଳୁଚି କାହିଁ ?

କହିବ ବନ୍ଧୁ କହବି ବାରେ ?

ଜୀବନର ଆଜି ଏ ପାରେ ନାହିଁ ତ ଏ ପାରେ ନାହିଁ,

ଜଳି ପାରେ ତାହା କେବଳ ମୃତ୍ୟୁ-ଅନ୍ଧକାରେ ।

 

ଜୀବନକୁ ଯାର ବାରବାର ଆସି

ମୃତ୍ୟୁର ନାଗ ମାରୁଚି ଫଣା,

ମଣି ମୟୁଖରେ ଜଳୁଚି ଦୀପାଳି

ତୁମ ଦୃଷ୍ଟିକୁ ପଡ଼ୁଚି ଜଣା ।

ଆସାର-ସଲିଳେ ବିଦ୍ୟୁତ-ବୀଥି

ଦୀପ୍ତ ହୁଏ,

ତୁମେ ମଣୁଅଛ ଜଳୁଚି ଦୀପାଳି

ଛାତିର ରକତେ ଆଖିର ଲୁହେ ।

ବକ୍ଷରେ ମୋର ସ୍ପର୍ଦ୍ଧା ଆଣୁଚି

ତୁମରି କଥା,

ଦୁର୍ଗନାୟକ-ଶାୟକ ଏ ମୋର

ଶାଣିତ ଲେଖନୀ ଶୋଣିତ-ତତା ।

ସହିପାରେ ନାହିଁ ଜୀବନ ପଥରେ

ଅବିଚାର ଅବା ଅତ୍ୟାଚାର,

ଜନ-ବକ୍ଷରେ ବିପ୍ଳବ-ନିଆଁ

ଜାଳି ଦିଏ ଲାଲ...ରକ୍ତଲାଲ ।

 

ଚୌର୍ଯ୍ୟ କେବଳ ଶୋର୍ଯ୍ୟ ଯାହାର

ଆଚାର ବିଚାର ଦୁନିଆ ବାହାର,

ବାହାରେ ଶୁଣାଇ ତ୍ୟାଗର ପରମ ଧର୍ମଋକ୍‍

ଛଦ୍ମ ରୂପରେ ସ୍ୱର୍ଥ ଖୋଜେ ଯେ ପଦ୍ମଭୁକ୍‍,

ତାହାରି ବୁକେ,

ଜାଗି ଉଠେ ସେଇ ଅସ୍ତ ମୋହର

ଦୃପ୍ତ ମୁଖେ ।

ବନ୍ଧୁ ହେ ମୋର ତୁମେ ତ ଜାଣିଚ

ଦୁର୍ମୂଖ ମୁହି ଚିର ପରିଚିତ,

ମୁହାଁସ ମୋହର ନାହିଁ କିଞ୍ଚିତ

ଛଳନାର ବାଣୀ ମଧୁ-ସିଞ୍ଚିଚ

କହି ଜାଣେନି ମୁଁ ଦୁନିଆ ଆଗେ,

ଉଚିତ ବୋଲି ମୁଁ ମନେ କରେ ଯାହା ଦୁନିଆ ଭାଗେ,

ଯେଡ଼େ ଅପ୍ରିୟ ବିକଟ ହେଲେହେଁ

ମୁକ୍ତ ମନେ

କହିବାର କଥା ନିର୍ଭୟେ କହେ

ଦୂର ଅବା ମୋର ନିକଟ ଜନେ ।

 

ବିଦେଶୀର ଫାଶେ ମନ୍ଦାକ୍ରାନ୍ତା

ଥିଲା ଯେବେ ମୋର ଜନ୍ମଭୂଇଁ,

ମୁକ୍ତି-ସମର-ଅଭିଯାନ ପଥେ

ଛୁଟି ଯାଇଥିଲି ତରୁଣ ମୁହିଁ ।

କେତେ ସଂଗ୍ରାମୀ କେତେ ଶହୀଦର

ରକ୍ତେ ଉଠିଲା ମନ୍ଦ୍ରନାଦ,

‘ଇନ କିଲାବ ଜିନ୍ଦାବାଦ’ ।

ଚାରଣ ପରାଏ ତୋଳିଥିଲି ମୋର କ୍ରାନ୍ତି-ଗାଥା

‘ଜାଗ ଜାଗ ମୋର ମାଟିର ମାତା’ ।

 

ମୌସୁମୀ ପରି ଜୀବନର ପଥେ

ଜାଗ୍ରତ ମୁହିଁ ରୁଦ୍ର ତାଳେ,

ଚାହୁଥିଲି ସଦା କଲ୍ୟାଣଧାରା

ବିଶ୍ୱ ଜୀବନ-ଚକ୍ରବାଳେ ।

ମଣିଷର ସେବା ଭାରତୀର ସେବା କରିବ ବୋଲି

ସ୍ୱାଧୀନ ଆମର ଦେଶର ବୁକେ,

ସ୍ୱାଧୀନ ଜୀବନ ବରି ନେଇଥିଲି

ଅଭାବ ଭାବର ଦୁଃଖ ସୁଖେ ।

ମୋର ସେ ଲେଖନୀ, ମୋର ସେଇ ମୁଖ

ସେଇ ଶୋଣିତର ସ୍ୱପ୍ନ ମୋର,

କେମିତି ବିକିଲି ଶାସନଯନ୍ତ୍ର-ଚକ୍ରତଳେ

ମର୍ମେ ତୁମର ତୋଳିଅଛି ଆଜି ପ୍ରଶ୍ନ ଘୋର ।

 

ଉତ୍ତର ଚାହ ?

ଜାଣିପାରୁ ନାହଁ ?

ସ୍ୱାଧୀନ ଆମର ଦେଶର ଦଶା,

କାହା ଆଳୟରେ ମଳୟ ଲୋଟୁଚି

କାହା କପାଳରେ ପ୍ରଳୟ-ହସା ।

ବେପାରୀ ଦଲାଲ କଣ୍ଟ୍ରାକ୍ଟର

କଳମାଲିକର କମ୍ର ପୁରେ,

ଭାଗ୍ୟଦାତ୍ରୀ ଲକ୍ଷ୍ମୀ ନିଜେ,

କଲାରେ କଲାରେ ଏଲାଗେ ଷୋହଳ କଲାରେ ବିଜେ ।

ରେଡ଼ିଓର ବାଣୀ ମନ ତୋଷି ତହିଁ

କହଇ କଥା

ଅମାବସ୍ୟାରେ ପୂର୍ଣ୍ଣିମା ରଚି

ଦୀପାଳି ଜାଳଇ ତଡ଼ିତ୍‍ ଲତା ।

 

ପୁଷ୍ପକ ଯାନ ମେଘଦୂତ ପରି

ଦୌତ୍ୟ ଚାହେ,

ବାଷ୍ପ ବାହାନ ଫାଟକ ଆଗରେ

ଆଦେଶକୁ ସଦା ଅନାଇ ଥାଏ ।

ପୂରୁବେ ଯେମିତି ଆଜି ବି ସେମିତି

ବାଣୀର ପୂଜାରୀ ଲକ୍ଷ୍ମୀଛଡ଼ା

ସର୍ବହରା ।

 

ଦେଶର ସେଇ ଯେ ସୁଭାଗ, ଧନିକ

ପୁଞ୍ଜିବାଦୀର କର୍ମଶାଳେ,

ଜୀବିକାର ରାହା ବରି ନେଇ କିଏ

ପୀଡ଼ିତ ସ୍ନାୟୁର ଘର୍ମ ଢାଳେ ।

ଖାଲି ଭାତ ରୋଟି, ମଜଦୂର ନେଇ

ଗଳ୍ପ କବିତା ଲେଖି ଅବା କେହି

ସୃଷ୍ଟି କରୁଚି ପ୍ରତିକ୍ରିୟା,

ସାମ୍ୟବାଦର ରାଜନୀତି କରି

ଚା ଧୂଆଁ ପିଇ ଜାଳୁଚି ନିଆଁ ।

 

ଜଠର-ଜାଲାରେ ଅର୍ଦ୍ଧ ପଥରୁ

କିଏ ସେ କାହିଁ

ଖବର କାଗଜେ ଆଶ୍ରା ନେଉଚି ।

ନିଜକୁ ଅନାଇ, ଯୁଗକୁ ଚାହିଁ ।

 

କିଏ ଲେଖୁଅଛି ପାଠ୍ୟ କିତାବ

ଜୀବନର ସବୁ ମୂଲ୍ୟ ଦେଇ,

ଜଗତର ତଳେ ମଣିଷ ସମାଜେ

ବଞ୍ଚିବା ପାଇଁ ଜୀବନ ନେଇ ।

ମହଲା ଉପରେ ମହଲା ସଉଧ

ପ୍ରକାଶକ ତହୁଁ କରୁଚି ଠିଆ,

ଚିର ବଞ୍ଚିତ ଲେଖକ ମରୁଚି

ଦଗ୍‍ଧ ଜଠର, ଦଗ୍‍ଧ ହିଆ ।

 

ପୃଥିବୀର ଆଜି ଜୀବନ-ବଜାରେ

ଆଦରି ନ ନେଇ ସର୍ବନାଶ

ଗଣ ସରକାର ଦପ୍ତରେ ଯାଇ

କିଏ କେଉଁ ଭାବେ ମୁଗ୍‍ଧ ଦାସ ।

 

ନିପାତନ ନୁହେଁ

ବାଣୀ-ତୀର୍ଥର ଉପାସକ ମୁହିଁ

କାବ୍ୟ-ସୃଷ୍ଟି-ଧର୍ମଧାରୀ,

ଜନ-ଶିକ୍ଷାର ଲେଖା ପାଇଁ ହେଲି

ଉତ୍ପାଦନର କର୍ମଚାରୀ ।

 

କଳର ଭିତରେ କରି ପାରିଲିନି

ଧଳାକୁ କଳା କି କଳାକୁ ଧଳା,

ରଚି ପାରିଲିନି ଚତୁର ଚଟୁଳ

ଚୁଟୁର କଳା ।

 

ବଣ ମୁଲକରେ ମୁହିଁ ବାଘ-ସିଂ-ବଂଶଧର,

ସର୍କସେ ଯାଇ ବଶ ହେଲି ନାହିଁ

ହୋଇ ପାରିଲିନି ଅନ୍ଧ ଚର ।

କଳା ସୃଷ୍ଟିର ଉପଯୋଗ କରି

ବରି ନେଲି ମୋର କଳାର କାଳ,

ଆହତ ବୁକୁରେ ଫେରିଲି ମୋ ପଥେ

କାଳିମା ଘେନି ମୋ ପୁରସ୍କାର ।

ଚମତ୍କାର !

ଘଟନା ଭିତରେ କିଏ ସେ ପଶୁଚି

ରଟନା ହୋଇଚି ଦୁର୍ନିବାର ।

ଶୁଣି ପାରୁନାହଁ ?

ଖର ବିଦ୍ରୂପ କଳଗୁଞ୍ଜନ

ଶୁଭୁଚି ଅଦୂର ଅନ୍ତରାଳେ,

ବନ୍ଦନା ଲାଗି ଜଳୁଚି ଦୀପାଳି

ଜଳୁଚି କାହିଁ,

କହିବ ବନ୍ଧୁ କହିବ ବାରେ ?

Image

 

ସନ୍ନ୍ୟାସୀ ହେ ଦ୍ୱିତୀୟ ଗୋପ

 

ଯେତିକିବେଳେ ଆମ ଏ ଦେଶେ

ମଣିଷ ଆଜି ଶାସକ ବେଶେ

ଧର୍ମ ନ୍ୟାୟ କରୁଚି ଲେପ,

ସେତିକିବେଳେ ବିଦାୟ ନେଲ

ସନ୍ନ୍ୟାସୀ ହେ ଦ୍ୱିତୀୟ ଗୋପ ।

 

ପ୍ରଥମ ହୋଇ ସେନାନୀ ବେଶେ

ଲବଣ-ସଂଗ୍ରାମେ,

ଯେଦିନ ତୁମେ ବାହାର ହେଲ

ପଛରେ ଥିଲୁ ଆମେ ।

ସେଦିନ ତୁମେ ଲଢ଼ୁଆ ବୀର

ଆମ ଏ ଦେଶ ପାଇଁ,

ତୁମର ସେଇ ସେନାନୀ ସାଜ

ମନରୁ ଯାଇ ନାହିଁ ।

ଆଖିରେ ତବ ବିଜୟ ତେଜ

ଛାତିରେ ଥିଲା ବଳ,

ପ୍ରାଣରେ ଥିଲା ତ୍ୟାଗର ଧାରା

ତରଳ ଢଳ ଢଳ ।

ଅହିଂସାର ଲଢ଼େଇ ପାଇଁ

ତୁମର ସେଇ ବେଶ,

ସାଥିରେ ରହି ଦେଖିଚୁ ଆମେ

ଦେଖିଚି ଆମ ଦେଶ ।

 

ସେଦିନ ଏଇ ଯୋବରା ଘାଟେ

ଦେଶର ସେନା ଆମେ,

ବିଜୟ ନାଦ ତୋଳିଲୁ କେତେ

ଆମ ଏ ଦେଶ ନାମେ

ବିଜୟ ମାଳା ଗଳାରେ ଦେଇ

ଶ୍ରୀମତୀ ରମା ଦେଈ

ବନ୍ଦାଇଲେ ଯେପରି ଆଜି

ମନରୁ ଯାଇ ନାହିଁ ।

ଧରିଲ ତୁମେ ଦେଶର ବାନା

ବରିଲ ତୁମେ ଜିଅଲଖାନା

ସହିଲ ତୁମେ ଦୁଃଖ ନାନା

କଲ ଯେ ତୁମେ ରକ୍ତଦାନ,

ଦେଶର ସେଇ ମୁକ୍ତିପଥେ

ଭୁଲିବ କିଏ ବର୍ତ୍ତମାନ ?

 

ସ୍ୱାଧୀନ ଦେଶେ ମନ୍ତ୍ରୀ ଲାଟ

କିଛିହିଁ ହେଲ ନାହିଁ

ଜୀବନ ଦେଲ ପୁଣି ଏ ଦେଶେ

ମଣିଷ ସେବା ପାଇଁ ।

ଭୂଦାନ ପାଇଁ ଗାଆଁରୁ ଗାଆଁ

ପାଦରେ ବୁଲି ବୁଲି

ପାତିଲ ତୁମ ମୁକୁଳା ମନ

ପାତିଲା ତୁମ ଝୁଲି ।

ଦୁଃଖୀ ଚାଷୀ ମୂଲିଆକୁଳ

ହୋଇଲେ ଆସି ସାଥି,

ସନ୍ନ୍ୟାସୀର ଜୀବନ ଘେନି

କାଟିଲ ଦିନ ରାତି ।

 

କ୍ଷମତା ଯେତେ ଉଡ଼ାଇ ଧ୍ୱଜା

କରୁଚି ପଟୁଆର,

ମମତା ଦେଇ ଦୁନିଆ କଲ

ନିଜର ପରିବାର ।

ଦୁନିଆ କୋଳେ ମିଶାଇ ଦେଲ

ନିଜର ପରିବାର,

ଜୀବନ ପଥେ ଗଢ଼ିଲ ଏକ

ବିପୁଳ ସଂସାର ।

ହଠାତ୍‍ ଆଜି କୁଆଡ଼େ ଗଲ

କୁଆଡ଼େ ଗଲ ଚାଲି ?

ଲକ୍ଷ ଆଖି ଢାଳୁଚି ଲୁହ,

ବକ୍ଷ ଆଜି ଖାଲି ।

ପ୍ରଥମ ଗୋପ ପାଖକୁ ତୁମେ

ଗଲ କି ସେଇ ସ୍ୱର୍ଗ-ଭୂମେ ?

ଗଲ ବା ଯଦି ଦ୍ୱିତୀୟ ଗୋପ,

ମସୁଧା କରି ଅଚିରେ ଆସ

ନୋହିଲେ ଦେଶ ହୋଇଲା ନାଶ

ନୋହିଲେ ଦେଶ ହୋଇଲା ଲୋପ ।

Image

 

ଆଚାର୍ଯ୍ୟ ହରିହର

 

ଆଖିକି ତାହାର ଦିଶୁନାଇଁ ଆଉ

ତଥାପି ତାହାର ଏଡ଼େ ଛାତି,

ଚାଲି ଚାଲି ଯାତ୍ରା ରଚୁଚି

ନୂଆ ଦୁନିଆର ବୁଢ଼ା ସାଥି ।

ହାତରେ ଧରିଚି ବାଡ଼ି ଖଣ୍ଡିଏ

କାନ୍ଧରେ ଝୁଲା ମୁଣିଟିଏ;

ସର୍ବୋଦୟର ପୂଜାରୀ ସିଏ ରେ

ସେବା-ଧର୍ମର ମୁନିଟିଏ ।

 

ଆପଣାର ଘର ଜାଳି ଦେଇ ସିଏ

ଝୁଲାମୁଣିଟିରେ ଭରିଅଛି,

ଦୁନିଆର ସବୁ ଘର ନେଇ ସିଏ

ଆପଣାର ଘର କରିଅଛି ।

ନଈ ଯେଉଁଭଳି ବିଲ ବଣ ବୁଲି

ଜଳ ଦେଇ ଦେଇ ଚାଲିଥାଏ,

ସ୍ନେହ ଦେଇ ଦେଇ ଚାଲିଅଛି ସିଏ

ସହରେ ସହରେ ଗାଏଁ ଗାଏଁ ।

 

ସତ୍ୟବାଦୀର ବଉଳ ବଣରେ

ଗୁରୁ ହୋଇ ସିଏ ପ୍ରାଣେ ପ୍ରାଣେ,

ଜ୍ଞାନର ବାରତା, ହୃଦୟର କଥା

କହି ଦେଉଥିଲା କାନେ କାନେ ।

ସେବାର ଜୀବନ, ଦେବାର ଜୀବନ

ନେଇଅଛି ଆଜି କେତେମତେ,

ଶଳିତା ପରାଏ ନିଜେ ଜଳି ଜଳି

ଆଲୁଅ ବୁଣୁଚି ପଥେ ପଥେ ।

 

ଅଦ୍ଭୁତ ସେଇ ଆତ୍ମା ଆଜିରେ

ଆସିଚ ତୁମର ଦୁଆରକୁ,

ଭିତରେ କିଏ ରେ ବସିଅଛ ତୁମେ

ଚାଲି ଆସ ଟିକେ ବାହାରକୁ ।

ମୁଣିରୁ ତାହାର ଭସ୍ମ ନିଅ ରେ

ପାଦରୁ ନିଅ ରେ ଧୂଳିକଣା,

ଦୁନିଆ ଭିତରେ ଚାଲିବାକୁ ହେଲେ

ହେବ ନାହିଁ ଆଉ ବାଟବଣା ।

Image

 

ହେ ପାଗଲ କବିବନ୍ଧୁ

 

ତୁମର ଯେ ଫଟୋ ଖଣ୍ଡି ଉପହାର ଦେଇଥିଲ ବନ୍ଧୁ,

ଶ୍ରଦ୍ଧାରେ ମୁଁ ତା ଆଜି ଦେଖୁଚି,

ମନେ ମନେ ମୋର କିଂତୁ ଦେଖୁଅଛି ଆଉ ଏକ ଫଟୋ

ତୁମେ ଯାର ଦେଇଥିଲ ସୂଚୀ ।

 

ଆଉ ଏକ ଫଟୋ ବନ୍ଧୁ ତୁମର ସେ ଜୀବନର ଫଟୋ,

ଥୋଇଥିଲ ମୋହରି ଆଗରେ,

ତୁମରି ପ୍ରେମର କଥା...ଫେନାୟିତ ମଦିରାର ନିଶା

ବାଢ଼ିଥିଲ ସ୍ନିଗ୍‍ଧ ସରାଗରେ ।

 

ମୁଁ କହିଲି, ‘‘ହେ ପାଗଲ ସଦ୍ମ ଛାଡ଼ି କେଉଁ ପଦ୍ମ ଲାଗି

ସାଜି ଅଛ ପ୍ରମତ୍ତ ଭ୍ରମର ?’’

‘‘ପାଗଲ ନୁହେଁ ମୁଁ ବନ୍ଧୁ, ନଗରୀର ରୂପସୀ ସେ ନାରୀ

ମୋହ ଲାଗି ଜାଳିଚି ଜାଗର ।’’

 

‘‘ଆଜି ଏ କି ଅଭିସାର ଜୀବନର ଅଭିଯାନ-ପଥେ ?’’

ଶୁଣୁ ଶୁଣୁ ମୋ ପ୍ରଶ୍ନର ଝଡ଼,

ଦୁର୍ବଳ ଶରବ୍ୟ ଭଳି ଭୟେ ଭୟେ ନିଜ ପଥ ଧରି

ଛୁଟିଲେ ତୁମେ ଛୁଟି ଗଲ ।

 

ଆଉ ଦିନେ ମୁଗ୍‍ଧ ବନ୍ଧୁ ପୁଣି ଆସି ବହୁଦିନ ପରେ

ଦେଖା ଦେଲ କ୍ଷୁବ୍‍ଧ ରୂପ ସାଜି

‘‘କି ଦେଖୁଚ ? କି ଭାବୁଚ ? ପାଗଲ ମୁଁ, ପାଗଲ ମୁଁ ଆଜି

ପଦ ମୋର ହିମଦଗ୍‍ଧ ଆଜି ।’’

 

ସେଦିନୁ ପାଗଲ ହେଲ ହୋଇ ଗଲ ବେସୁର ବେତାଳ,

ଭିନ୍ନ ହେଲା ତୁମର ସେ ଦୃଷ୍ଟି,

ଦୁନିଆର ଉପହାସେ କରି ଏକ କଟୁ ଉପହାସ

ତିଆରିଲ ଭିନ୍ନ ଏକ ସୃଷ୍ଟି ।

 

ସେ ସୃଷ୍ଟିକି ଭାଙ୍ଗି ଦେଇ ଚାଲିଗଲ, କରୁଣ ସେ ସୃଷ୍ଟି

ତାର ଚିତ୍ର ଲୁହରେ ଲେଖୁଚି,

ତୁମର ଯେ ଫଟୋ ଖଣ୍ଡ ଉପହାର ଦେଇଥିଲ ବନ୍ଧୁ,

ଶ୍ରଦ୍ଧାରେ ମୁଁ ତା ଆଜି ଦେଖୁଚି ।

Image

 

ବିଦାୟ-ବିପ୍ଳବ

 

ଘୃର୍ଣ୍ଣି ବତାସି, ବିତ୍‍ପାତ ତୋର ଆଉ ମୁଁ ସହିବି ନାହିଁ ।

ମୁଁ ପରା ଚାଲିଚି ଧୂସର ଜୀବନ ଆଉ ଥରେ ପୁଣି

ସବୁଜ କରିବା ପାଇଁ ।

ଆଉ ଥରେ ପୁଣି ଡାକି ଆଣି ମଉସୁମୀ

କଲ୍ୟାଣ ଧାରେ ସ୍ମାତ ପଙ୍କିଳ କରିବି ଏ ମୋର ଶୁଷ୍କ ଦଗ୍‍ଧ ଭୂମି

ମ୍ରିୟମାଣ ବୁକୁ ଚିରି

ଫୁଟାଇବି ମୋର ସବୁଜ ସତେଜ ଶିରୀ,

ଜୀବନର ଏକ ନୂଆ ପର୍ଯ୍ୟାୟ ପାଇଁ ।

ଘୂର୍ଣ୍ଣି ବତାସି, ବିତ୍‍ପାତ ତୋର ଆଉ ମୁଁ ସହିବି ନାହିଁ ।

ଜୀବନର ମୋର ମଧୁ ବସନ୍ତ ଅକାଳେ ଯାଇଚି ତୁଟି,

ଯେଉଁ ପୁଷ୍ପଟି ସମାରୋହେ ଥିଲା ଫୁଟି,

ଯେଉଁ ବଲ୍ଲୀଟି ଉଠିଥିଲା ପଲ୍ଲବି,

ଯେଉଁ ମୂର୍ଚ୍ଛନା ଉଠିଥିଲା ବାଜି ବାଜି,

ଦୂରେ ବହୁଦୂରେ ସେଇ ଉପଚାର ହଟି ଯାଇଅଛି ଆଜି,

ସ୍ୱପ୍ନ ସେପାରୁ ବାର୍ତ୍ତା ଆଣିଚି ବାସ୍ତବିକାର ଛବି ।

ବେଳ କାହିଁ ମୋର ମତ୍ତ ହେବାକୁ ଆଉ ଲୋ ତୋହରି ପ୍ଳା

ଫୁଲ ଚାହେ ନାହିଁ, ଫସଲ ଆଜି ମୁଁ ଚାହେ ।

ସ୍ୱର୍ଣ୍ଣ ଫସଲ ପଣ୍ୟର ଆଶା ଧରି

ମେଲି ଦେଇ ଅଛି ଧୂସର ଏ ମୋର ତରୀ

ସମୟର ପ୍ରତିକୂଳେ,

ପ୍ରବାହର ପ୍ରତିଲୋମେ,

ଶୁଗ ତାରା ଶିରୀ ଲକ୍ଷ୍ୟ କରି ସେ ନୀଳ ପିଚ୍ଛିଳ ବ୍ୟୋମେ

ଅହନାର ଶିରୀ ଉଦୟାଚଳର ଚୂଳେ ।

ଅତ୍ୟାଚାରିକା ଆହୁରି କାହିଁକି

ଆହୁରି ଆସୁଚୁ ଧାଇଁ ?

ଦୁର୍ଜୟ ମୁହିଁ, ନିର୍ଭୟ ମୁହିଁ ଆଉ ମୁଁ ଟଳିବି ନାହିଁ ।

Image

 

ସଙ୍କେତ

ବିବି ଖାନୁନ୍‍ ଓ ଶିଳ୍ପୀ

 

ଉଜ୍‍ବେକିସ୍ତାନର ଗୋଟିଏ କିମ୍ୱଦନ୍ତୀ କବିତାଟିର ଉପାଦାନ । ଶ୍ରୀ ମନମୋହନ ମିଶ୍ର ଭ୍ରମଣରୁ ଫେରି ମୋତେ ଏଇ କଥାଟି କହିଥିଲେ । ତାଙ୍କର ‘‘ପ୍ରବାସ ପଥେ’’ ପୁସ୍ତିକାର ପ୍ରଥମ ଭାଗରେ ସେ ମଧ୍ୟ ତାହା ଲିପିବନ୍ଧ କରିଛନ୍ତି । ସେଇ କଙ୍କାଳ ଉପରେ ମୋର କବିତାର କଳେବର ସୃଷ୍ଟ ଓ ପୁଷ୍ଟ ।

 

ସୁପାୟାଲାତ

 

୧୯୨୪ର Calcutta Review ରେ ପ୍ରକାଶିତ Wayne Gurdଙ୍କର Supayalat ଲେଖାଟି Mandalay ର ଗୋଟିଏ କିମ୍ୱଦନ୍ତୀ ଉପରେ ଲିଖିତ । ମୋର କବିତାର କଥାବସ୍ତୁ ସେଇଥିରୁ ଗୃହୀତ ।

 

କିଏ ତାକୁ ମାରି ପାରେ ?

 

ମହାତ୍ମା ଗାନ୍ଧିଙ୍କର ହତ୍ୟା ସଂବାଦ ଶ୍ରବଣରେ ଲିଖିତ ଓ ୧୯୪୮ ରେ ‘ନବଭାରତ’ ର ଗାନ୍ଧି ସଂଖ୍ୟାରେ ପ୍ରକାଶିତ ।

 

ମରି ସୁଦ୍ଧା ସେ ମରି ନ ଥିଲା ରେ !

 

ଉତ୍କଳମଣି ଗୋପବନ୍ଧୁଙ୍କର ୧୯୪୮ ଶ୍ରାଦ୍ଧ ଉପଲକ୍ଷରେ ରଚିତ ଓ ‘‘ଜନତା’’ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ।

 

ଜାନୁଆରୀ ଛବିଶ

 

୧୯୫୩ର ଜାନୁଆରୀ ଛବିଶ ଉପଲକ୍ଷରେ ଲିଖିତ ।

 

ପିଗ୍‌ମେଲିଆନ ଓ ବର୍ମା

 

ଦିନେ ବନ୍ଧୁ ବି. ବର୍ମା ମୋତେ ତାଙ୍କ କରୁଣ ଓ ଅସହାୟ ଜୀବନ-ପରିସ୍ଥିତି କହୁଁ କହୁଁ ମୁଁ ତହିଁରେ ଆବିଷ୍ଟ ହୋଇଥିଲି । ତା’ପରେ ଏହି କବିତାଟି ଲେଖି ତାଙ୍କୁ ମୁଁ ଉପହାର ଦେଇଥିଲି ।

 

ସ୍ମୃତିର ପାଣ୍ଡୁଲିପି

 

୧୯୫୩ ର ଫେବୃୟାରୀ ୨୪ ତାରିଖରେ କାନ୍ତକବି ଲକ୍ଷ୍ମୀକାନ୍ତ ଇହଧାମ ତ୍ୟାଗ କରିଥିଲେ । ଜୀବନରେ ଯେଉଁ କେତେ ଘଣ୍ଟା ତାଙ୍କର ସାନ୍ନିଧ୍ୟ ଲାଭ କରିଥିଲି ତା’ର ଏକ ଅବିସ୍ମରଣୀୟ ଚିତ୍ର ମୁଁ ଏ କବିତାଟିରେ ଦେଇଅଛି ।

 

ଜାଗ ଆଜି ବର୍ମା

 

ଶିଳ୍ପୀ ଓ କଳାକର ବି. ବର୍ମା ୧୯୫୩ ର ଡିସେମ୍ୱର ୨୩ ତାରିଖରେ ମୃତ୍ୟୁ ବରଣ କରିଥିଲେ । ସେଇ ସମୟରେ ତାଙ୍କ ପାଇଁ ଭାରତ ସରକାର ଏକ ବୃତ୍ତି ବ୍ୟବସ୍ଥା କଲେ—ମୃତ୍ୟୁପରେ ସେ ସଂବାଦ ମିଳି ଥିଲା । ତା’ରି ଉପରେ କବିତାଟି ଲେଖା ।

 

ବନ୍ଦନା ଲାଗି ଜଳୁଚି ଦୀପାଳି— ଜଳୁଚି କାହିଁ ?

 

୧୯୫୭ର ଝଙ୍କାର ପତ୍ରିକାରେ ପ୍ରକାଶିତ କବିବନ୍ଧୁ ଶ୍ରୀକୁଞ୍ଜବିହାରୀ ଦାଶଙ୍କର କବିତା ‘‘ବନ୍ଦନା ଲାଗି ଜଳୁଚି ଦୀପାଳି’’ର ପାଠ ପରେ ଏ କବିତାଟି ଲିଖିତ ଓ ଝଙ୍କାରର ପର ସଂଖ୍ୟାରେ ପ୍ରକାଶିତ ।

 

ସନ୍ନ୍ୟାସୀ ହେ ଦ୍ୱିତୀୟ ଗୋପ

 

ତା ୭-୫-୫୮ ରେ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କ ମୃତ୍ୟୁରେ ଲିଖିତ । ୧୯୩୦ ର ଲବଣ ସତ୍ୟାଗ୍ରହରେ ସେ ଇଞ୍ଚୁଡ଼ି ପାଇଁ ପ୍ରଥମ ସେନାପତି ହୋଇ ଅଭିଯାନ କରିଥିଲେ । ଯୋବ୍‌ରା ଘାଟରେ ବିଦାୟ ସଂବର୍ଦ୍ଧନାରେ ମୁଁ ଯୋଗ ଦେଇଥିଲି ।

 

ହେ ପାଗଲ କବିବନ୍ଧୁ

 

କବି ଓ ଔପନ୍ୟାସିକ ଶ୍ରୀ ପ୍ରାଣକୃଷ୍ଣ ସାମଲ ୧୯୫୯, ଜାନୁଆରୀ ୨୮ ତାରିଖରେ ବଡ଼ ଡାକ୍ତରଖାନାରେ କରୁଣ ପରିସ୍ଥିତିରେ ମୃତ୍ୟୁ ବରଣ କରିଥିଲେ । ସେଇ କବିବନ୍ଧୁଙ୍କ ଉଦ୍ଦେଶ୍ୟରେ ଏ କବିତାଟି ଅର୍ଘ୍ୟ ।

Image